ଶିବସେନାର ଜଣେ ବି ବିଧାୟକ କହିଲେ ଇସ୍ତଫା ଦେବାକୁ ପ୍ରସ୍ତୁତ: ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ଧବ କହିଛନ୍ତି ଯେ ଯଦି ଶିବସେନାର ଜଣେ ବି ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହନ୍ତି, ତେବେ ସେ ଏଥିପାଇଁ ପ୍ରସ୍ତୁତ । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଯଦି ମୋ ସାମ୍ନାକୁ ଆସି ଜଣେ ବି ଶିବ ସୈନିକ କୁହନ୍ତି ତେବେ ମୁଁ ଶିବସେନା ମୁଖ୍ୟ ଭାବେ ମଧ୍ୟ ହଟିବାକୁ ପ୍ରସ୍ତୁତ ।

ଉଦ୍ଧବ କହିଛନ୍ତି, ବହୁତ ସମୟ ପରେ ଆପଣ ମାନଙ୍କ ସାମ୍ନାକୁ ଆସିଛି । ବହୁତ କିଛି କହିବାକୁ ଅଛି | ପ୍ରଶାସନରେ ମୋର କୌଣସି ଅଭିଜ୍ଞତା ନଥିଲା | କରୋନା ପରି ଏକ ଚ୍ୟାଲେଞ୍ଜ ଆସିଲା । କରୋନା ମୁକାବିଲା ନେଇ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଶ୍ରେଷ୍ଠ ୫ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାମିଲ ହୋଇଥିଲା ।”

ସେ କହିଛନ୍ତି ଯେ ଗତ ତିନି-ଚାରିମାସ ଧରି କାହାକୁ ଭେଟିବା ସମ୍ଭବ ନଥିଲା । କାରଣ ମୁଁ ଅସୁସ୍ଥ ଥିଲି । ମୁଁ ଏବେ ଲୋକଙ୍କୁ ଭେଟିବା ଆରମ୍ଭ କରିଛି। ସେନା ଏବଂ ହିନ୍ଦୁତ୍ୱ ସର୍ବଦା ଅଭିନ୍ନ | ଶିବସେନାକୁ ହିନ୍ଦୁତ୍ୱରୁ ଅଲଗା କରାଯାଇପାରିବ ନାହିଁ ଏବଂ ହିନ୍ଦୁତ୍ୱକୁ ଶିବସେନାଠାରୁ ଅଲଗା କରାଯାଇପାରିବ ନାହିଁ |

ସେ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ, କିନ୍ତୁ ତୁମେ ମୋ ସାମ୍ନାକୁ ଆସି ସବୁକିଛି କୁହ। ଏକନାଥ ସୁରଟକୁ ଯାଇ କଥାବାର୍ତ୍ତା କରିବାର ଆବଶ୍ୟକତା କ’ଣ ଥିଲା | କିଛି ଲୋକ କହୁଛନ୍ତି ଯେ ଏହା ବାଲ ଠାକରେଙ୍କ ଶିବସେନା ନୁହେଁ | ବାଲ୍ ଠାକରେଙ୍କ ଦେହାନ୍ତ ପରେ ଆମେ ୨୦୧୪ରେ ଏକାକୀ ଲଢ଼ିଥିଲୁ | ମୁଁ ଗତ ଅଢେ଼ଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଛି ଏବଂ ଯେତିକି ନେତା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି, ସେମାନେ ସମସ୍ତ ବାଲ ଠାକରେଙ୍କ ଶିବସେନା ଦଳର ଅଟନ୍ତି।

Comments are closed.