ମହାରାଷ୍ଟ୍ର ସଙ୍କଟ: ଶିବସେନା ଜାତୀୟ କାର୍ଯ୍ୟକାରିଣୀର ବୈଠକ ଡାକିଲେ ଉଦ୍ଧବ | News Room Odisha

ମହାରାଷ୍ଟ୍ର ସଙ୍କଟ: ଶିବସେନା ଜାତୀୟ କାର୍ଯ୍ୟକାରିଣୀର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ: ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି । ସେ ଭର୍ଚୁଆଲ ମୋଡରେ ଏହି ବୈଠକରେ ଯୋଗଦେବେ । ଅନ୍ୟପକ୍ଷରେ, ଆଗାମୀ ରଣନୀତି ଉପରେ ଆଲୋଚନା କରିବା ପାଇଁ ଶିବସେନାର ବିଦ୍ରୋହୀ ବିଧାୟକମାନେ ଆଜି ଅପରାହ୍ନରେ ରେଡିସନ୍ ବ୍ଲୁ ହୋଟେଲରେ ସମସ୍ତ ବିଧାୟକଙ୍କ ବୈଠକ ଡାକିଛନ୍ତି । ବିଦ୍ରୋହୀ ବିଧାୟକଙ୍କ ଜିଦ୍ ମଧ୍ୟରେ ଉଦ୍ଧବ ଠାକରେ ପୁଣି ଥରେ ଦୋହରାଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ। ଶୁକ୍ରବାର ମଧ୍ୟ ଶିବସେନା ଭବନରେ ଦଳୀୟ କର୍ମୀ ମାନେ ସିନ୍ଦେଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ।

ଏକନାଥ ସିନ୍ଦେଙ୍କ ବିଦ୍ରୋହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଠାକରେଙ୍କ ବାସଭବନରେ ଗତକାଲି ଏକ ବୈଠକ ହୋଇଥିଲା । ଏହି ବୈଠକରେ ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ଶିବସେନା ଏହାର ୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି ଯେ ଉପବାଚସ୍ପତି ଶନିବାର କିମ୍ବା ରବିବାର ବିଦ୍ରୋହୀ ବିଧାୟକଙ୍କ ଉପରେ ନିଷ୍ପତ୍ତି ନେଇପାରନ୍ତି । ଅନ୍ୟପକ୍ଷରେ ଏକନାଥ ସିନ୍ଦେ ଗୁଆହାଟୀରେ ତାଙ୍କ ସହ ମୋଟ ୫୨ ଜଣ ବିଧାୟକ ଅଛନ୍ତି ବୋଲି ଦାବି କରିଛନ୍ତି ।