ୟୁକ୍ରେନର ରାଷ୍ଟ୍ରପତି ଭବନକୁ ଟାର୍ଗେଟ କଲା ରୁଷ, କିଭ୍ ଉପରେ ବୋମା ବର୍ଷା ଜାରି, ଦେଶ ଛାଡ଼ି ପଳାଇଥିବା ଖବରକୁ ଜେଲେଂସ୍କିଙ୍କ ଖଣ୍ଡନ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦଶମ ଦିନରେ ପହଞ୍ଚିଛି। ୟୁକ୍ରେନର ରାଷ୍ଟ୍ରପତି ଭବନକୁ ଟାର୍ଗେଟ କରିଛି ରୁଷ୍ । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଜେଲେନସ୍କିଙ୍କ ବାସଭବନ ନିକଟରେ ମିସାଇଲ ମାଡ଼ ହୋଇଛି । ତେବେ ସେଠାରେ ମିସାଇଲ୍ ଆଣ୍ଟି ସିଷ୍ଟମ୍ ସକ୍ରିୟ ଥିବାରୁ ଏହାକୁ ପ୍ରତିହତ କରାଯାଇଥିଲା ।

ଅନ୍ୟପକ୍ଷରେ କିଭରେ ଅନେକ ବିସ୍ଫୋରଣ ହୋଇଥିବାବେଳେ ସୁମିରେ ସ୍ଥଳଭାଗରେ ରୁଷ୍-ୟୁକ୍ରେନ ସେନା ମଧ୍ୟରେ ଭୀଷଣ ସଂଘର୍ଷ ଚାଲିଥିବା ସୂଚନା ମିଳିଛି। ଏଥି ସହିତ ରୁଷ୍ ସେନା ମାରିଓପୋଲ ସହରକୁ ମଧ୍ୟ ଘେରି ରହିଛନ୍ତି | ରବିବାର ସୁଦ୍ଧା ଉଭୟ ଦେଶ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ସମ୍ଭବ ବୋଲି କୁହାଯାଉଛି। ଏହାପୂର୍ବରୁ, ପ୍ରଥମ ପର୍ଯ୍ୟାୟ ଆଲୋଚନା ୨୮ ଫେବୃଆରୀରେ ଏବଂ ଦ୍ୱିତୀୟ ରାଉଣ୍ଡ ୩ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଉଭୟ ବୈଠକରେ କୌଣସି ନିଷ୍କର୍ଷ ବାହାରିନଥିଲା ।

ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦଶମ ଦିନ | ୟୁକ୍ରେନର ଖବରକାଗଜ ଦି କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ପେଣ୍ଟାଗନ୍ ଅଧିକାରୀଙ୍କ ବୟାନକୁ ଉଦ୍ଧୃତ କରି କହିଛି ଯେ ୟୁକ୍ରେନ ଦଖଲ କରିବାକୁ ରୁଷ ଏହି ସପ୍ତାହରେ ୫୦୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଅନ୍ୟପକ୍ଷରେ ସେ‌ ଦେଶ ଛାଡ଼ି ପଳାଇଥିବା ରୁଷର ଦାବିକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଖଣ୍ଡନ କରିଛନ୍ତି । ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଶକୁ ସୁରକ୍ଷା ଦେବେ । ସେ କୌଣସି ସ୍ଥାନକୁ ଯାଇନାହାଁନ୍ତି ବୋଲି ଜେଲେନସ୍କି କହିଛନ୍ତି । ଏହା ସହିତ ସେ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଯଦି ୟୁକ୍ରେନ ନିଶ୍ଚିହ୍ନ ହୁଏ ତେବେ ଏହା ୟୁରୋପର ମଧ୍ୟ ଅନ୍ତ ହେବ।

Comments are closed.