ରୁଷ୍ ବିରୋଧରେ ଅନ୍ତର୍ଜାତୀୟ କୋର୍ଟର ଦ୍ବାରସ୍ଥ ହେଲା ୟୁକ୍ରେନ | News Room Odisha

ରୁଷ୍ ବିରୋଧରେ ଅନ୍ତର୍ଜାତୀୟ କୋର୍ଟର ଦ୍ବାରସ୍ଥ ହେଲା ୟୁକ୍ରେନ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି ଏବଂ ଆଜି ଯୁଦ୍ଧର ଚତୁର୍ଥ ଦିନ | ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ମଧ୍ୟ ଦେଖାଯାଉ ନାହିଁ। ଏହାରି ମଧ୍ୟରେ ରୁଷ ବିରୋଧରେ ୟୁକ୍ରେନ ଏକ ବଡ଼ ପଦକ୍ଷେପ ନେଇଛି ‌। ରୁଷ୍ ବିରୋଧରେ ୟୁକ୍ରେନ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ)କୁ ଯିବାକୁ ନିଷ୍ପତ୍ତି ନେଇଛି। ୟୁକ୍ରେନ ରୁଷ ବିରୋଧରେ ଆଇସିଜେର ଦ୍ବାରସ୍ଥ ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେଂସ୍କି କହିଛନ୍ତି ।

ସେ ଟ୍ୱିଟରେ ଲେଖିଛନ୍ତି ଯେ ନରସଂହାରର ଧାରଣାକୁ ବଦଳାଇ ଆକ୍ରମଣକୁ ଯଥାର୍ଥ ଦର୍ଶାଇଥିବା ରୁଷକୁ ଉତ୍ତରଦାୟୀ କରାଯିବା ଉଚିତ। ରୁଷକୁ ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆମେ ଅନୁରୋଧ କରୁଛୁ ଏବଂ ଆସନ୍ତା ସପ୍ତାହରେ ଆଇସିଜେରେ ଶୁଣାଣିକୁ ଆରମ୍ଭ ହେବ ବୋଲି ଆଶା କରୁଛୁ।

ଉଲ୍ଲେଖଯୋଗ୍ୟ ଯେ ରୁଷ ବିରୁଦ୍ଧରେ ୟୁକ୍ରେନ ବିଭିନ୍ନ କୌଶଳ ଅବଲମ୍ବନ କରୁଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି କହିଛନ୍ତି ଯେ ତାଙ୍କ ଦେଶ ଉପରେ ଆକ୍ରମଣ ପାଇଁ ରୁଷକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରୁ ବାହାର କରି ଦିଆଯିବା ଉଚିତ। ରବିବାର ଜେଲେଂସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ରୁଷର ୟୁକ୍ରେନ ଉପରେ ଆକ୍ରମଣ ନରସଂହାର ପାଇଁ ଏକ ପଦକ୍ଷେପ। ସେ କହିଛନ୍ତି, “ରୁଷ ଭୁଲ୍ ରାସ୍ତା ବାଛିଛି ଏବଂ ବିଶ୍ୱ ଏହାକୁ ଜାତିସଂଘ ସୁରକ୍ଷା ପରିଷଦରୁ ବାହାର କରିଦେବା ଉଚିତ୍।

ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ରୁଷ ଅନ୍ୟତମ, ଯାହା ଏହାକୁ ଭିଟୋ କ୍ଷମତା ଦେଇଥାଏ। ଜେଲେଂସ୍କି କହିଛନ୍ତି ଯେ ୟୁକ୍ରେନ ସହର ଗୁଡ଼ିକ ଉପରେ ରୁଷର ଆକ୍ରମଣର ତଦନ୍ତ ଅନ୍ତର୍ଜାତୀୟ ଯୁଦ୍ଧ ଅପରାଧ ଟ୍ରିବ୍ୟୁନାଲ କରିବା ଉଚିତ।