ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣାକୁ ଜାତିସଂଘର ନିନ୍ଦା

ନ୍ୟୁୟର୍କ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢୁଥିବା ଆକ୍ରମଣ ନେଇ ଭାରତ ସହ ଆମେରିକା ଏବଂ ଜାତିସଂଘ ମଧ୍ୟ ଉଦବେଗ ପ୍ରକାଶ କରିଛି। ଜାତିସଂଘ କହିଛି ଯେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ଏହାର ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧର ବିରୁଦ୍ଧ । ପ୍ରଧାନମନ୍ତ୍ରୀ ଶେଖ ହସିନା ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ଉଚିତ।

ବାଂଲାଦେଶରେ ଜାତିସଂଘର ରେସିଡେଣ୍ଟ କୋଅର୍ଡିନେଟର ମିଆ ସେପ୍ପୋ ଟୁଇଟ୍ କରି କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ସୋସିଆଲ ମିଡିଆରେ ଘୃଣ୍ୟ ପୋଷ୍ଟ ଦ୍ୱାରା ପ୍ରେରିତ । ଏଭଳି ଘଟଣା ସମ୍ବିଧାନର ମୂଲ୍ୟବୋଧ ବିରୁଦ୍ଧ ଏବଂ ଏହା ବନ୍ଦ ହେବ ଜରୁରୀ। ଏକ ସମାବେଶୀ ସହନଶୀଳ ବାଂଲାଦେଶକୁ ମଜବୁତ କରିବାକୁ ଆମେ ସମସ୍ତଙ୍କୁ ଆହ୍ବାନ କରୁଛୁ।

ପୂର୍ବରୁ ଆମେରିକା ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଧର୍ମ ବାଛିବା ସ୍ୱାଧୀନତା ହେଉଛି ମାନବିକ ଅଧିକାର। ଧର୍ମ କିମ୍ବା ବିଶ୍ୱାସ ନିର୍ବିଶେଷରେ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ନିଜର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ପାଳନ କରିବା ପାଇଁ ନିଜକୁ ନିରାପଦ ଅନୁଭବ କରିବା ଆବଶ୍ୟକ । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ମନ୍ତ୍ରଣାଳୟ ନିନ୍ଦା କରୁଛି।

Comments are closed.