ଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଶତ୍ରୁ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ, ସ୍ପଷ୍ଟ କଲା ଜାତିସଂଘ

ନୂଆଦିଲ୍ଲୀ: ଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଶତ୍ରୁ ତଥା ଆତଙ୍କବାଦୀ ନିହତ। ପାକିସ୍ତାନର ଏକ ଜେଲରେ ହାଫିଜ ସଇଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ ହୋଇଛି। ଦୁଇ ବର୍ଷ ତଳେ ହିଁ ଭୁଟାବିର ମୃତ୍ୟୁ ଖବର ଆସିଥିଲା, କିନ୍ତୁ ସେତେବେଳେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଏହି ଖବରକୁ ଅସ୍ବୀକାର କରିଥିଲା । କିନ୍ତୁ ବର୍ତ୍ତମାନ ଜାତିସଂଘ ସ୍ପଷ୍ଟ କରିଛି ଯେ ଲସ୍କର-ଏ-ତଇବାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ ହୋଇଛି।

ଜାତିସଂଘ ସୁରକ୍ଷା ପରିଷଦର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ହାଫିଜ ଅବଦୁଲ ସଲାମ ଭୁଟାବି ଲସ୍କର-ଏ-ତଇବାର ଡେପୁଟି କମାଣ୍ଡର ଏବଂ ହାଫିଜ ସଇଦର ନିକଟବର୍ତ୍ତୀ ଥିଲା । ହାଫିଜ ସଇଦ ଜେଲ୍ ଯିବା ପରେ, ଭୁଟାବି ଲସ୍କର ଜମାତ ଉଦ୍ ଦାଓ୍ବାର ଦାୟିତ୍ଵ ସମ୍ଭାଳିଥିଲା ।

ରିପୋର୍ଟ ଅନୁଯାୟୀ, ୨୦୦୮ରେ ମୁମ୍ବାଇ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଭୁଟାବି ତାଲିମ ଦେଇଥିଲା । ସେହି ଆତଙ୍କବାଦୀ ଆକ୍ରମଣରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ଶହ ଶହ ଲୋକ ଆହତ ହୋଇଥିଲେ।

୨୯ ମଇ ୨୦୨୩ରେ ପାକିସ୍ତାନର ପଞ୍ଜାବର ଏକ ଜେଲରେ ଭୁଟାବିର ହୃଦଘାତରେ ମୃତ୍ୟୁ ହୋଇଥିଲା । କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦ ସହ ଭାରତ ମଧ୍ୟ ଏହି ଖବରକୁ ଗୁଜବ ବୋଲି କହିଥିଲା । ଏହାକୁ ପାକିସ୍ତାନର ଏକ ଷଡ଼ଯନ୍ତ୍ର ବୋଲି କହିଥିଲା ଭାରତ । କିନ୍ତୁ ବର୍ତ୍ତମାନ ମିଳିତ ଜାତିସଂଘ ଭୁଟାବିର ମୃତ୍ୟୁ ଉପରେ ମୋହର ମାରିଛି।

Comments are closed.