କେକେଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ, ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କଲା ପୋଲିସ; ଶେଷ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ୍

କୋଲକାତା: ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ଓରଫ୍ କେକେଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ (ମେ ୩୧) ଆକସ୍ମିକ ବିୟୋଗ ସଂଗୀତପ୍ରେମୀଙ୍କୁ ସ୍ତବ୍ଧ କରିଛି । ସେ କୋଲକାତାରେ ଏକ ଶୋ’ କରୁଥିବା ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା । କିନ୍ତୁ ଏବେ କେକେଙ୍କ ଓଠ ଏବଂ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ‘ଅସ୍ବାଭାବିକ ମୃତ୍ୟୁ’ ମାମଲା ରୁଜୁ କରିଛି । ସେପଟେ କେକେଙ୍କ ପରିବାର ବୁଧବାର ସକାଳେ କୋଲକାତାରେ ପହଞ୍ଚଛନ୍ତି।

ରିପୋର୍ଟ ଅନୁଯାୟୀ, କେକେ ଙ୍କ ମୃତ୍ୟୁକୁ ନେଇ ନ୍ୟୁ ମାର୍କେଟ ପୋଲିସ ଷ୍ଟେସନରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ ହୋଇଛି। ପରିବାରର ଅନୁମତି ପାଇବା ପରେ ମୃତଦେହର ପଞ୍ଚନାମା ଏବଂ ପୋଷ୍ଟମର୍ଟମ କରାଯିବ। କୋଲକାତାର ଏସ୍ଏସକେଏମ୍ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପ୍ରସ୍ତୁତି ଚାଲିଛି |

ଗାୟକ କେକେ ଙ୍କ ମୃତ୍ୟୁର କାରଣ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ। ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିବା ପରେ ପୋଲିସ ହୋଟେଲ କର୍ମଚାରୀ ଏବଂ କନସର୍ଟ ଆୟୋଜକଙ୍କୁ ପଚରାଉଚରା କରିବ। କୁହାଯାଉଛି ଯେ କୋଲକାତାର ପ୍ରସିଦ୍ଧ ବିବେକାନନ୍ଦ କଲେଜ ଅଡିଟୋରିୟମରେ ମେ ୩୧ ରେ ଶୋ’ କଲାବେଳେ କେକେ ଅସହଜ ମନେ କରିଥିଲେ। ସେ ବାରମ୍ବାର ଝାଳ ପୋଛୁଥିଲେ । ଅଡିଟୋରିୟମରେ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି। ସେଠାରେ ଏସି ମଧ୍ୟ କାମ କରୁନଥିଲା । ଏସି ଚାଲୁ କରିବାକୁ କିଛି ବ୍ୟବସ୍ଥା କରିବାକୁ କେକେ ଆୟୋଜକଙ୍କୁ କହୁଥିବା ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି । ଅତ୍ୟଧିକ ଗରମ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା ବୋଲି ମନେ କରାଯାଉଛି ।

କେକେଙ୍କ ମୃତ୍ୟୁ କିଛି ମିନିଟ ପୂର୍ବରୁ ଦୁଇଟି ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ ଭିଡ଼ିଓରେ କେକେ ଆୟୋଜକଙ୍କୁ ଅସହଜ ଅବସ୍ଥାରେ କିଛି କହୁଥିବା ଦେଖିବାକୁ ମିଳୁଛି ।

ଦ୍ୱିତୀୟ ଭିଡିଓରେ ତାଙ୍କୁ ତରବରିଆ ଭାବେ କନସର୍ଟ ହଲ୍ ବାହାରକୁ ନିଆଯାଉଛି । ଏହି ଭିଡିଓରେ କେତେ ତାଙ୍କ ଛାତିକୁ ଧରିଛନ୍ତି ଏବଂ ତାଙ୍କ ମୁହଁରେ ଯନ୍ତ୍ରଣା ସ୍ପଷ୍ଟ ବାରି ହୋଇପଡୁଛି | ମୃତ୍ୟୁ ପୂର୍ବରୁ ଏହା ତାଙ୍କର ଶେଷ ଭିଡିଓ ବୋଲି ଦାବି କରାଯାଇଛି ।

Comments are closed.