ଲକ୍ଷ୍ମୀପୁର ହିଂସା ମାମଲା ନେଇ କ୍ରମାଗତ ଦ୍ବିତୀୟ ଦିନ ବି ସଂସଦରେ ହଟ୍ଟଗୋଳ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଏସଆଇଟି ରିପୋର୍ଟକୁ ନେଇ ସଂସଦରେ କ୍ରମାଗତ ଦ୍ବିତୀୟ ଦିନ ମଧ୍ୟ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହି ମାମଲାରେ ବିରୋଧୀ ବର୍ତ୍ତମାନ ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିବା ସହ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ବାପା ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି । ଗୁରୁବାର ମଧ୍ୟ ବିରୋଧୀ ଦଳ ଟେନିଙ୍କ ଇସ୍ତଫା ଦାବିକରି ଲୋକସଭାରେ ହୋହଲ୍ଲା କରିଥିଲେ। ରାହୁଲ ଗାନ୍ଧୀଙ୍କ ପରେ ଅନ୍ୟ ଜଣେ କଂଗ୍ରେସ ସାଂସଦ ମଣିକାମ ଟାଗୋର ଏହି ପ୍ରସଙ୍ଗରେ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି । ଲକ୍ଷ୍ମୀପୁର ଘଟଣା ଉପରେ ଆଲୋଚନା କରିବାକୁ ଦଳ ଜିଦ୍ ଧରିଛି।

ସଂସଦରେ ଲଗାତାର ଦ୍ୱିତୀୟ ଦିନ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଉପରେ ଉତ୍ତେଜନା ଜାରି ରହିଛି। ଗୁରୁବାର ଲୋକସଭାର ବୈଠକ ଆରମ୍ଭ ହେବା ମାତ୍ରେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇ ଏହି ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାର ଠିକ୍ ପରେ, ଲକ୍ଷ୍ମୀପୁର ଘଟଣା ଏବଂ ଟେନି ପ୍ରସଙ୍ଗରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା | କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ ଟେନିଙ୍କୁ ତୁରନ୍ତ କ୍ୟାବିନେଟରୁ ହଟାଇବା ଉଚିତ୍। ଏସ୍ଆଇଟି ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି। ଏହି ପ୍ରସଙ୍ଗରେ ଆମକୁ କହିବାକୁ ଅନୁମତି ଦିଆଯିବା ଉଚିତ୍ .. ଆପଣଙ୍କ ମନ୍ତ୍ରୀ କୃଷକମାନଙ୍କୁ ହତ୍ୟା କରିଛନ୍ତି | ତାଙ୍କୁ ଦଣ୍ଡ ଦିଆଯିବା ଦରକାର ବୋଲି ରାହୁଲ କହିଥିଲେ ।

ଚାଷୀଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ରର ଫଳାଫଳ ବୋଲି ଏସଆଇଟି ରିପୋର୍ଟ କହିବା ପରେ କେନ୍ଦ୍ର ମନ୍ତ୍ରୀ ଟେନିଙ୍କୁ ନେଇ କେନ୍ଦ୍ରକୁ ଘେରିବା ପାଇଁ ସୁଯୋଗ ମିଳିଛି । ଏହାଛଡ଼ା ସାମ୍ବାଦିକ ମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବିରୋଧୀ ।

Comments are closed.