ପେଗାସସ୍ ନିର୍ମାତା ଏନ୍ଏସ୍ଓ ଗ୍ରୁପକୁ କଳା ତାଲିକାଭୁକ୍ତ କଲା ଆମେରିକା

ଓ୍ୱାଶିଂଟନ: ଏକ ବଡ଼ ନିଷ୍ପତ୍ତି କ୍ରମେ ଆମେରିକା ବିବାଦୀୟ ପେଗାସସ୍ ସ୍ପାଏୱେର୍ ନିର୍ମାତା ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପକୁ କଳା ତାଲିକାଭୁକ୍ତ କରିଛି। ଗତ କିଛି ଦିନ ହେବ ଗୁପ୍ତଚର କାର୍ଯ୍ୟକୁ ନେଇ ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ଆମେରିକା ସରକାର କହିଛନ୍ତି ଯେ ବିଭିନ୍ନ ଦେଶର ସରକାର ଏହି ସ୍ପାଏୱେରକୁ ଜାସୁସୀ ପାଇଁ ବ୍ୟବହାର କରିଥିଲେ । ତେଣୁ ଏନ୍ଏସ୍ଓକୁ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି ।

ଆମେରିକାର ବାଣିଜ୍ୟ ବିଭାଗ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି ଯେ ପେଗାସସ୍ ସ୍ପାଏୱେୟାର ସାରା ବିଶ୍ୱରେ ସାମ୍ବାଦିକ, ମାନବାଧିକାର କର୍ମୀ, ବିରୋଧୀଦଳର ନେତାଙ୍କ ଉପରେ ଜାସୁସୀ ପାଇଁ ବ୍ୟବହାର କରାଯାଉଥିଲା। ଯେଉଁ କାରଣରୁ ଏନ୍ଏସ୍ଓ ଗ୍ରୁପ୍ ଏବଂ ଅନ୍ୟ ଏକ ଇସ୍ରାଏଲ୍ କମ୍ପାନୀ ‘କାଣ୍ଡିରୁ’କୁ ମଧ୍ୟ କଳା ତାଲିକାରେ ସାମିଲ କରାଯାଇଛି |

ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଏନ୍ଏସ୍ଓ ଗ୍ରୁପ୍ ଏବଂ ଅନ୍ୟ ଏକ ଇସ୍ରାଏଲ୍ କମ୍ପାନୀ କାଣ୍ଡିରୁ ଆମେରିକାର ଜାତୀୟ ସୁରକ୍ଷା ତଥା ବୈଦେଶିକ ନୀତିର ସ୍ୱାର୍ଥ ବିରୁଦ୍ଧ କାର୍ଯ୍ୟ କରିଛନ୍ତି । ଏଭଳି ଗୁଇନ୍ଦା ସଫ୍ଟୱେର ସରକାରୀ କର୍ମଚାରୀ, ସାମ୍ବାଦିକ, ବ୍ୟବସାୟୀ ଏବଂ ଦୂତାବାସ କର୍ମଚାରୀଙ୍କ ଉପରେ ଗୁପ୍ତଚର କରିବା ପାଇଁ ବ୍ୟବହାର କରାଯାଇଛି | ସାଇବର ଅପରାଧର ମୁକାବିଲା ଏବଂ ନାଗରିକଙ୍କ ଉପରେ ବେଆଇନ ଗୁପ୍ତଚର କାର୍ଯ୍ୟ ରୋକିବା ଲକ୍ଷ୍ୟରେ ଏହି ଗୁଇନ୍ଦା ସଫ୍ଟୱେରକୁ କଳା ତାଲିକାଭୁକ୍ତ କରାଯାଇଛି ବୋଲି ଆମେରିକା ବାଣିଜ୍ୟ ବିଭାଗ ତରଫରୁ କୁହାଯାଇଛି ।

ଏନଏସଏ ଗ୍ରୁପର ପେଗାସସ୍ ସଫ୍ଟୱେର ଦ୍ଵାରା ବିଭିନ୍ନ ଦେଶରେ ଅନେକ ସାମ୍ବାଦିକ, ସାମାଜିକ କାର୍ଯ୍ୟକର୍ତ୍ତା, ରାଜନେତା, ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀଙ୍କ ଫୋନ୍ ହ୍ୟାକିଂ କରି ସେମାନଙ୍କ ଉପରେ ଗୁଇନ୍ଦାଗିରି ପାଇଁ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଥିଲା ।

ଭାରତରେ ମଧ୍ୟ ସାମ୍ବାଦିକ, ବିରୋଧୀ ଦଳର ନେତା, ସାମାଜିକ କର୍ମୀ, ପୂର୍ବତନ ସେନାଧିକାରୀ, କିଛି ମନ୍ତ୍ରୀଙ୍କ ଉପରେ ଗୁଇନ୍ଦା କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଏହାକୁ ନାଗରିକଙ୍କୁ ଗୋପନୀୟତାର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ । ସରକାର ନାଗରିକଙ୍କ ଉପରେ ପେଗାସସ୍ ସଫ୍ଟୱେର ବ୍ୟବହାର କରିଛନ୍ତି କି ନାହିଁ ଏହାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ।

Comments are closed.