୨୦ ବର୍ଷ ଯୁ୍‌ଦ୍ଧର ଅନ୍ତ, ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କଲା ଆମେରିକା, ବିଜୟ ଉତ୍ସବ ପାଳିଲା ତାଲିବାନ

କାବୁଲ/ୱାଶିଂଟନ: ଶେଷରେ ଆଫଗାନିସ୍ତାନରେ ଆମେରିକା ସେନାର ୨୦ ବର୍ଷର ଉପସ୍ଥିତି ଶେଷ ହୋଇଛି । ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା । ଧାର୍ଯ୍ୟ ସମୟ (ଅଗଷ୍ଟ ୩୧) ପୂର୍ବରୁ ଆମେରିକାର ସୈନ୍ୟଙ୍କ ଶେଷ ବ୍ୟାଚ୍ ମଙ୍ଗଳବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ଛାଡ଼ିଛନ୍ତି । ଏଥିସହ ଆମେରିକାର ସବୁଠୁ ଲମ୍ବା ଯୁଦ୍ଧର ଅନ୍ତ ଘଟିଛି । ୨୦ ବର୍ଷ ତଳେ ଯେଉଁ ତାଲିବାନ ବିରୋଧରେ ଯୁଦ୍ଧଂ ଦେହୀ ଡ଼ାକରା ସହ ଆମେରିକା ଆଫଗାନିସ୍ତାନରେ ନିଜ ସାମରିକ ଅଭିଯାନ ଆରମ୍ଭ କରିଥିଲା ତାହା ସେହି ତାଲିବାନର କ୍ଷମତା ଦଖଲ ସହ ଶେଷ ହୋଇଛି । ଏହା ଆମେରିକାର ଏକ ବଡ଼ ପରାଜୟ । ତାଲିବାନ ଓ ଆତଙ୍କୀ ସଂଗଠନ ବିରୋଧରେ ଯୁଦ୍ଧ ସହ ଆଫଗାନିସ୍ତାନର ପୁନର୍ଗଠନ ପାଇଁ ଶହ ଶହ କୋଟି ଟଙ୍କା ନିବେଶ କରିବା ସତ୍ତ୍ୱେ ଆଫଗାନିସ୍ତାନ ଛାଡ଼ି ଫେରିଛି ଆମେରିକା । ଆମେରିକା ସେନା ତାଲିବାନ ଛାଡ଼ିବା ପରେ ତାଲିବାନ ଶିବିରରେ ବିଜୟ ଉତ୍ସବ ଆରମ୍ଭ ହୋଇଛି । ରାତି ସାରା ତାଲିବାନ ସେନା କାବୁଲର ରାଜପଥରେ ଫାଙ୍କା ଗୁଳି ଚାଳନା କରି ବିଜୟ ଉତ୍ସବ ପାଳନ କରିଛନ୍ତି ।

ତାଲିବାନ ସହ ହୋଇଥିବା ଚୁକ୍ତି ଅନୁସାରେ ଆମେରିକାକୁ ଅଗଷ୍ଟ ୩୧,୨୦୨୧ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସମସ୍ତ ସେନା ପ୍ରତ୍ୟାହାର କରିନେବାର ଥିଲା । ଏହ ଚୁକ୍ତି ଡେଡ୍‌ଲାଇନ୍ ଗୋଟିଏ ଦିନ ପୂର୍ବରୁ ଆମେରିକା ଏହି କାର୍ଯ୍ୟ ସମ୍ପନ୍ନ କରିି । ମଙ୍ଗଳବାର ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଚାରୋଟି ମିଲିଟାରୀ ସି-୧୭ ବିମାନ ଆମେରିକାର ଶେଷ ବ୍ୟାଚ୍ ସୈନିକଙ୍କୁ ଧରି ଉଡ଼ାଣ ଭରିଥିଲା । ଏହା ପରେ ପରେ ତାଲିବାନ ଫାଙ୍କା ଗୁଳି ଚଳାଇ ବିଜୟ ଉତ୍ସବ ମନାଇଥିଲା ।
ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ପରେ ଆମେରିକା ଏବେ ଆଫଗାନିସ୍ତାନରେ ନିଜ କୂଟନୈତିକ ଉପସ୍ଥିତି ମଧ୍ୟ ଶେଷ କରିଛି । ଆମେରିକାର ପରରାଷ୍ଟ୍ର ସଚିବ ଏଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ, ଆଫଗାନିସ୍ତାନ ସହ କୂଟନୈତିକ କାର୍ଯ୍ୟ କାତାର ରାଜଧାନୀ ଦୋହାରୁ ହେବ ।

Comments are closed.