କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ବାଗତ କଲେ ଆମେରିକୀୟ ସାଂସଦ, ଦେଲେ ଏମିତି ମନ୍ତବ୍ୟ... | News Room Odisha

କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ବାଗତ କଲେ ଆମେରିକୀୟ ସାଂସଦ, ଦେଲେ ଏମିତି ମନ୍ତବ୍ୟ…

ୱାଶିଂଟନ୍: ଆମେରିକାର ସାଂସଦ ଆଣ୍ଡି ଲେଭିନ୍ ତିନି କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ତିନି କୃଷି ଆଇନକୁ ରଦ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଘୋଷଣା କରିଥିଲେ । ଏହି ବିବାଦୀୟ କୃଷି ଆଇନ ବିରୋଧରେ ପ୍ରାୟ ବର୍ଷେ କାଳ ଧରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରି ଆସୁଛନ୍ତି। ବିରୋଧୀ ଚାଷୀଙ୍କୁ ଘରକୁ ଫେରିବା ପାଇଁ ମୋଦି ନିବେଦନ କରିଥିଲେ।

ଆମେରିକୀୟ ସାଂସଦ ଆଣ୍ଡି ଲେଭିନ୍ କହିଛନ୍ତି, ଏହା ଜାଣି ଖୁସି ଲାଗୁଛି ଯେ, ଏକ ବର୍ଷରୁ ଅଧିକ ସମୟ ପରେ ଭାରତରେ ତିନି କୃଷି ଆଇନକୁ ରଦ୍ଦ କରାଯିବ। ଏହା ପ୍ରମାଣ ଯେ ଯେତେବେଳେ ଭାରତ ଏବଂ ବିଶ୍ବର ଶ୍ରମିକମାନେ ଏକାଠି ହୁଅନ୍ତି, ସେତେବେଳେ ସେମାନେ କର୍ପୋରେଟ୍ ସ୍ୱାର୍ଥକୁ ପରାସ୍ତ କରିପାରିବେ ଏବଂ ଉନ୍ନତି କରିପାରିବେ। ’

ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରି କହିଥିଲେ ଯେ, କୃଷି ଆଇନ କୃଷକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ସରକାର କୃଷକଙ୍କ ଗୋଟିଏ ଗୋଷ୍ଠୀକୁ ମନାଇବାରେ ବିଫଳ ହୋଇଥିଲେ । ଏଥିପାଇଁ ମୋଦି ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।