ଉତ୍ତରାଖଣ୍ଡ ହିମସ୍ଖଳନ: ଆଉ ୧୨ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରାକାଶି ସ୍ଥିତ ଦ୍ରୌପଦୀ ଦଣ୍ଡା-୨ ପର୍ବତରୁ ଗୁରୁବାର ଆଉ ୧୨ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନେହେରୁ ପର୍ବତାରୋହଣ ଅନୁଷ୍ଠାନ (ଏନ୍ଆଇଏମ୍) ତରଫରୁ ଏହି ସୂଚନା ଦିଆଯାଇଛି |

୨୨ ଜଣ ପର୍ବତାରୋହୀ ଏବେ ବି ନିଖୋଜ ଥିବା ଜଣାପଡିଛି। ହଠାତ୍ ହିମସ୍ଖଳନ ହେବାରୁ ମଙ୍ଗଳବାର ଦ୍ରୌପଦୀ ଦଣ୍ଡା-୨ ପର୍ବତର ୧୭ ହଜାର ଫୁଟ ଉଚ୍ଚରେ ଏନ୍ଆଇଏମ୍ ର ଏକ ପର୍ବତାରୋହୀ ଦଳ ଫସି ଯାଇଥିଲେ।

ଏନ୍ଆଇଏମ୍ ସୂଚନା ଅନୁଯାୟୀ, ଆଉ ୧୨ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର ହେବା ସହ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ହିମସ୍ଖଳନ ଦିନ ହିଁ ଚାରିଟି ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରୁ ୧୪ ଜଣ ଟ୍ରେନି ପର୍ବତାରୋହୀ ଏବଂ ଦୁଇଜଣ ଟ୍ରେନର ଅଛନ୍ତି।

ଏହାପୂର୍ବରୁ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (ଏସ୍ଇଓସି) ତରଫରୁ କୁହାଯାଇଥିଲା ଯେ ଏନ୍ଆଇଏମର ୬୧ ସଦସ୍ୟ ବିଶିଷ୍ଟ ଆଡଭାନ୍ସ ଟ୍ରେନିଂ କୋର୍ସ ଦଳର ଚାରିଜଣ ମୃତଦେହ (ଟ୍ରେନି ଏବଂ ଟ୍ରେନରଙ୍କ ସମେତ) ଉଦ୍ଧାର କରାଯାଇଥିବା ବେଳେ ୩୦ ଜଣ ଲୋକ ସୁରକ୍ଷିତ ଅଛନ୍ତି । ଆଉ ୨୭ ଜଣ ଲୋକ ନିଖୋଜ ଅଛନ୍ତି। ।

ଅନ୍ୟପକ୍ଷରେ ନିଖୋଜ ପର୍ବତାରୋହୀଙ୍କ ସନ୍ଧାନ ଅଭିଯାନରେ ଗୁଲମର୍ଗ, ଜମ୍ମୁ କାଶ୍ମୀରର ହାଇ ଅଲ୍ଟିଚ୍ୟୁଡ ଓ୍ବାରଫେୟାର ସ୍କୁଲର ୧୪ ଜଣିଆ ଟିମ୍ ମଧ୍ୟ ଯୋଗ ଦେଇଛନ୍ତି।

ଉଦ୍ଧାର କାର୍ଯ୍ୟରେ ଏହି ଦଳ ଳର ପାରଦର୍ଶିତା ରହିଛି ଏବଂ ନିଖୋଜ ପର୍ବତାରୋହୀଙ୍କୁ ଖୋଜିବାରେ ଏହି ଟିମ୍ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ), ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)କୁ ସାହାଯ୍ୟ କରିବେ ବୋଲି ଏନ୍ଆଇଏମ୍ ପକ୍ଷରୁ କୁହାଯାଇଛି ।

Comments are closed.