ଜ୍ଞାନବାପି ମସଜିଦ୍ ମାମଲାରେ ମୁସଲିମ ପକ୍ଷକୁ ଝଟକା | News Room Odisha

ଜ୍ଞାନବାପି ମସଜିଦ୍ ମାମଲାରେ ମୁସଲିମ ପକ୍ଷକୁ ଝଟକା

ବାରାଣସୀ: ଜ୍ଞାନବାପି ମସଜିଦ୍ ସହ ଜଡିତ ମାମଲାରେ ବାରାଣସୀ ସିଭିଲ ଜଜ୍ (ସିନିୟର ଡିଭିଜନ୍) ଫାଷ୍ଟ ଟ୍ରାକ୍ କୋର୍ଟ ମସଜିଦ୍ କମିଟିର ଆବେଦନ ଖାରଜ କରିଦେଇଛନ୍ତି।

ଜ୍ଞାନବାପି ମସଜିଦ ପରିସରକୁ ହିନ୍ଦୁ ପକ୍ଷକୁ ହସ୍ତାନ୍ତର କରିବା, ପୂଜାର୍ଚ୍ଚନା କରିବା ଏବଂ ମସଜିଦ ଭିତରେ ମୁସଲମାନମାନଙ୍କ ପ୍ରବେଶକୁ ବାରଣ କରିବା ଦାବିରେ ପିଟିସନର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଜ୍ଞାନବାପି ମସଜିଦ ପରିସରରେ ମିଳିଥିବା ‘ଶିବଲିଙ୍ଗ’ ମାମଲାରେ ହିନ୍ଦୁ ପକ୍ଷ ତରଫରୁ ଏହି ତିନୋଟି ଦାବି କରାଯାଇଥିଲା।

ଅନ୍ୟପକ୍ଷରେ ମୁସଲିମ ପକ୍ଷ ତଥା ଅଞ୍ଜୁମାନ ଇନ୍ତେଜାମିଆ ତରଫରୁ କେବଳ ଆଦେଶ ୭/ ୧୧ ଅନୁଯାୟୀ ହୋଇଥିବା ଆବେଦନ ଉପରେ ପ୍ରଶ୍ନ ଉଠାଇ ହିନ୍ଦୁ ପକ୍ଷର ଉପରୋକ୍ତ ଦାବି ଶୁଣାଣି ଯୋଗ୍ୟ ନୁହେଁ ବୋଲି ଯୁକ୍ତି କରିଥିଲା । ମୁସଲିମ ପକ୍ଷ ଦାବି କରିଥିଲା ଯେ ଏହି ମାମଲା ଏବଂ ଏହାର ଆନୁସଙ୍ଗିକ ଦାବି ୧୯୯୧ର ‘ଉପାସନା ସ୍ଥଳ’ ଆଇନ ଅନୁଯାୟୀ ଗ୍ରହଣଯୋଗ୍ୟ ନୁହେଁ ।

‘ଉପାସନା ସ୍ଥଳ’ ଆଇନ ଅନୁଯାୟୀ, ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ନିର୍ମାଣ ହୋଇଥିବା କୌଣସି ଧାର୍ମିକ ସ୍ଥଳର ଧାର୍ମିକ ବୈଶିଷ୍ଟ୍ୟକୁ ପରିବର୍ତ୍ତନ କରାଯାଇପାରିବ ନାହିଁ | ମୁସଲିମ ପକ୍ଷର ଦାବିକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେ ହେବ।