ଲକ୍ଷ୍ମୀପୁର ହିଂସାକୁ ନେଇ ଟ୍ବିଟ୍ ପରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ହଟିଲେ ବରୁଣ, ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବରୁଣ ଗାନ୍ଧୀ ଏବଂ ତାଙ୍କ ମା ମେନକା ଗାନ୍ଧୀଙ୍କୁ ହଟାଇ ଦିଆଯାଇଛି। ୟୁପିର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ବରୁଣ କ୍ରମାଗତ ଟ୍ୱିଟ୍ କରି ଚାଷୀଙ୍କୁ ସମର୍ଥନ ଜଣାଇବା ସହ ଯୋଗୀ ଆଦିତ୍ୟନାଥ ସରକାରକୁ ଟାର୍ଗେଟ କରିଥିଲେ । ଏହି କାରଣରୁ ତାଙ୍କୁ ଓ ମେନକାଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବାଦ୍ ଦିଆଯାଇଥିବା ମନେ କରାଯାଉଛି । ସୂଚନାଯୋଗ୍ୟ ଯେ, ବିଜେପି ସାଂସଦ ଲାଖୀପୁର ଘଟଣା ସମ୍ପର୍କରେ ବାରମ୍ବାର ଟ୍ୱିଟ୍ କରି ଚାଷୀଙ୍କୁ ଟାର୍ଗେଟ କରାଯିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ କାର୍ ଚଢ଼ାଇବା ଘଟଣା ନେଇ ବିଜେପି ସାଂସଦ ବରୁଣ ଗାନ୍ଧୀ ବୁଧବାର ଏକ ଭିଡିଓ ସେୟାର କରିଥିଲେ। ଗୁରୁବାର ସେ ଏହି ଘଟଣାର ଆଉ ଏକ ଭିଡିଓ ସେୟାର କରିଛନ୍ତି। ପୂର୍ବ ଭିଡିଓ ଅପେକ୍ଷା ଏହି ଭିଡିଓ ଉନ୍ନତମାନର ଅଧିକ ସ୍ପଷ୍ଟ ଦେଖାଯାଉଛି | ତେବେ ଏହି ଭିଡିଓ ଲକ୍ଷ୍ମୀପୁର ହିଂସା ଘଟଣାର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଏକ କଳାରଙ୍ଗର ଏସୟୁଭି ଦ୍ରୁତ ଗତିରେ ଆସି କିଛି ଚାଷୀଙ୍କୁ ଧକ୍କା ଦେଇ ଚାଲିଯାଉଛି । ଗତ ରବିବାର ଘଟିଥିବା ଲକ୍ଷ୍ମୀପୁର ଖେରୀ ହିଂସାରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ବୋଲି ଦାବି ହେଉଥିବା ଭିଡ଼ିଓକୁ ସେୟାର କରି ବରୁଣ ଗାନ୍ଧୀ କହିଥିଲେ ଯେ, ହତ୍ୟା କରି ଚାଷୀଙ୍କ ମୁହଁ ବନ୍ଦ କରାଯାଇ ପାରିବ ନାହିଁ ।

Comments are closed.