ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ଦେହାନ୍ତ ହୋଇଯାଇଛି। କର୍ଣ୍ଣାଟକର ମାଙ୍ଗାଲୁରୁରେ ଫର୍ଣ୍ଣାଣ୍ଡେଜ୍ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।
ଫର୍ଣ୍ଣାଣ୍ଡେଜ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ କିଛି ସପ୍ତାହ ଧରି ତାଙ୍କୁ ମାଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେ ଯୋଗ କରିବା ସମୟରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।
ୟୁପିଏ ସରକାରର ଉଭୟ କାର୍ଯ୍ୟକାଳରେ ମନ୍ତ୍ରୀ ଥିବା ଓସ୍କାର ଫର୍ଣ୍ଣାଣ୍ଡେଜ ଗାନ୍ଧୀ ପରିବାର ଘନିଷ୍ଠ ଥିଲେ । ସେ ରାଜୀବ ଗାନ୍ଧୀଙ୍କ ସଂସଦୀୟ ସଚିବ ଥିଲେ।

୧୯୮୦ ମସିହାରେ ସେ କର୍ଣ୍ଣାଟକର ଉଡୁପି ଲୋକସଭା ଆସନରୁ ପ୍ରଥମ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଏଠାରୁ ୧୯୯୬ ପର୍ଯ୍ୟନ୍ତ ବିଜୟୀ ହୋଇଆସୁଥିଲେ। ୧୯୯୮ରେ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ସେବେଠାରୁ ସେ ରାଜ୍ୟସଭା ସାଂସଦ ଭାବରେ ସଂସଦର ସଦସ୍ୟ ରହିଥିଲେ।

ଓସ୍କାର ଫର୍ଣ୍ଣାଣ୍ଡେଜ୍ ୨୭ ମାର୍ଚ୍ଚ ୧୯୪୧ରେ କର୍ଣ୍ଣାଟକର ଉଡୁପିରେ ଜନ୍ମଗ୍ରହଣ କରିଥିଲେ।

ଫର୍ଣ୍ଣାଣ୍ଡେଜଙ୍କ ଦେହାନ୍ତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ବାଦ୍ରା ଓ ବହୁ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments are closed.