ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ରେସଲରଙ୍କ ସ୍ବର୍ଣ୍ଣ ବର୍ଷା ଜାରି, ଭିନେଶଙ୍କ ହ୍ୟାଟ୍ରିକ୍

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ରେସଲରଙ୍କ ସୁନା ବର୍ଷା ଜାରି ରହିଛି । ରବି ଦହିୟାଙ୍କ ପରେ ମହିଳା ୫୩ କିଲୋଗ୍ରାମ ବର୍ଗରେ ଷ୍ଟାର୍ ରେସଲର ଭିନେଶ ଫୋଗଟ ଭାରତକୁ ଦେଇଛନ୍ତି ଆଉ ଏକ ସ୍ୱର୍ଣ୍ଣ ପଦକ । ଏଥିସହ ଭିନେଶ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରମାଗତ ତୃତୀୟ ଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଭିନେଶ ୨୦୧୪ ଏବଂ ୨୦୧୮ରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ | ବର୍ମିଂହାମ୍ ଗେମ୍ସରେ ଭାରତ ପାଇଁ ଏହା ହେଉଛି ଏକାଦଶତମ ସ୍ୱର୍ଣ୍ଣ ପଦକ ଓ କୁସ୍ତିରେ ପଞ୍ଚମ ।

ଭିନେଶଙ୍କ ବର୍ଗରେ ମୁକାବିଲା ନର୍ଡିକ୍ ସିଷ୍ଟମ ଦ୍ବାରା ହୋଇଥିଲା | ଏହି ସିଷ୍ଟମ ଅନୁସାରେ ଜଣେ ରେସଲରଙ୍କୁ ତାଙ୍କ ଓଜନ ବର୍ଗରେ ଅନ୍ୟ ସମସ୍ତ ପ୍ରତିଦ୍ୱନ୍ଦୀଙ୍କ ବିପକ୍ଷରେ ଖେଳିବାକୁ ପଡିବ ଏବଂ ପ୍ରଥମ ସ୍ଥାନ ହାସଲ କରିଥିବା ରେସଲରଙ୍କୁ ସ୍ୱର୍ଣ୍ଣ ମିଳିବ | ଭିନେଶ ତାଙ୍କ ବର୍ଗର ସବୁ ମ୍ୟାଚ୍ ଜିତି ସ୍ବର୍ଣ୍ଣ ହାତେଇଛନ୍ତି। ତାଙ୍କର ଶେଷ ମ୍ୟାଚ୍ ଶ୍ରୀଲଙ୍କାର ଚାମୁଣ୍ଡାୟା କେସାନୀଙ୍କ ବିପକ୍ଷରେ ହୋଇଥିଲା। ଏଥିରେ ସେ ୪-୦ରେ ଜିତିଥିଲେ | କୁସ୍ତି ଇଭେଣ୍ଟର କୌଣସି ଓଜନ ବର୍ଗରେ ୬ରୁ କମ୍ ରେସଲର ଥିଲେ ନର୍ଡିକ୍ ସିଷ୍ଟମ୍ ଲାଗୁ କରାଯାଏ |

Comments are closed.