ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କ ୧୪ ବର୍ଷ | News Room Odisha

ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କ ୧୪ ବର୍ଷ

ନୂଆଦିଲ୍ଲୀ: ଷ୍ଟାର୍ ବ୍ୟାଟ୍ସମ୍ୟାନ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଜି (ଅଗଷ୍ଟ ୧୮) ସ୍ବତନ୍ତ୍ର | ସେ ୧୪ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୪ ବର୍ଷ ପୂରଣ ନେଇ କୋହଲି ମଧ୍ୟ ନିଜ ଇନଷ୍ଟାଗ୍ରାମରେ କ୍ୟାରିୟରର କିଛି ସ୍ମରଣୀୟ ମୁହୂର୍ତ୍ତ ସେୟାର କରିଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)

କୋହଲିଙ୍କ ଡେବ୍ୟୁ ମ୍ୟାଚ୍ ନା ତାଙ୍କ ପାଇଁ ସ୍ମରଣୀୟ ହୋଇଥିଲା ନା ଟିମ୍ ଇଣ୍ଡିଆ ପାଇଁ ଖାସ୍ ଥିଲା । ଡେବ୍ୟୁ ମ୍ୟାଚରେ କୋହଲିଙ୍କ ବ୍ୟାଟ୍ ଆଦୌ ଚାଲିନଥିଲା । ଶ୍ରୀଲଙ୍କା ବିପକ୍ଷ ଡାମ୍ବୁଲାରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚରେ ଭାରତୀୟ ଦଳ ମଧ୍ୟ ଅସୁବିଧାରେ ପଡ଼ିଥିଲା। ଟିମ ଇଣ୍ଡିଆ ସେହି ମ୍ୟାଚରେ ୪୬ ଓଭରରେ ମାତ୍ର ୧୪୬ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଶ୍ରୀଲଙ୍କା ୩୪.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିବା ସହ ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲା।

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲେ। ଏହା ପରେ କୋହଲି ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ କୋହଲି ଓପନର୍ ଭାବରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ କୋହଲି ୨୨ଟି ବଲ ଖେଳି ମାତ୍ର ୧୨ ରନ୍ କରିପାରିଥିଲେ। ଏହି ମ୍ୟାଚରେ ଯୁବରାଜ ସିଂ ସର୍ବାଧିକ ୨୩ ରନ୍ ସଂଗ୍ରହ କରିଥିଲେ। ଏ ଦୁହିଁଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ ମଧ୍ୟ ଛୁଇଁ ପାରିନଥିଲେ ।

ତେବେ ଏହା ପରେ ବିରାଟ ଭଲ ପ୍ରଦର୍ଶନ କରିଥିଲେ। ସେହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ କୋହଲି ୧୫୯ ରନ୍ କରିଥିଲେ। ସେ ଭାରତର ଦ୍ୱିତୀୟ ତଥା ସାମଗ୍ରିକ ଭାବେ ଚତୁର୍ଥ ଶ୍ରେଷ୍ଠ ସ୍କୋରର ଥିଲେ। ସେହି ଡେବ୍ୟୁ ସିରିଜରେ କୋହଲିଙ୍କ ଶ୍ରେଷ୍ଠ ସ୍କୋର ଥିଲା ୫୪ ରନ୍‌। ଭାରତୀୟ ଦଳ ସିରିଜକୁ ୩-୨ରେ କବଜା କରିଥିଲା।

ଏହି ସିରିଜ୍ ପରେ ବିରାଟ କୋହଲି ଆଉ ପଛକୁ ଚାହିଁ ନଥିଲେ। ସେ ଜୁନ୍ ୨୦୧୦ରେ ଜିମ୍ବାୱେ ଗସ୍ତରୁ ତାଙ୍କର ଟି୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ | ଠିକ୍ ଗୋଟିଏ ବର୍ଷ ପରେ ଅର୍ଥାତ ଜୁନ୍ ୨୦୧୧ରେ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟେଷ୍ଟ୍ ଡେବ୍ୟୁ କରିଥିଲେ | କୋହଲି ଏଯାବତ ଟେଷ୍ଟରେ ୨୭ ଶତକ ଏବଂ ଦିନିକିଆରେ ୪୩ ଶତକ ହାସଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୭୦ଟି ଶତକ ହାସଲ କରିଛନ୍ତିି, ଯାହାକି ତୃତୀୟ ସର୍ବାଧିକ ।

ସମ୍ପ୍ରତି କୋହଲି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏପରିକି ପ୍ରାୟ ପାଞ୍ଚ ମାସ ଧରି ସେ ଏକ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିପାରି ନାହାଁନ୍ତି । ଏହାଛଡ଼ା ଅଢେଇ ବର୍ଷରୁ ଅଧିକ ସମୟ ଧରି ଏକ ଶତକ ମଧ୍ୟ ହାସଲ କରିପାରି ନାହାଁନ୍ତି । କୋହଲି ଆଜିକାଲି ୨୦-୩୦ ରନ୍ କରିବାକୁ ସଂଘର୍ଷ କରୁଥିବା ଦେଖାଯାଉଛି। କୋହଲି ଶେଷଥର ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷ କୋଲକାତା ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ।

ବିରାଟ କୋହଲି ଏପର୍ଯ୍ୟନ୍ତ ୧୦୨ ଟେଷ୍ଟରେ ୮୦୭୪ ରନ୍ ଏବଂ ୨୬୨ଟି ଦିନିକିଆରେ ୧୨,୩୪୪ ରନ୍ ସଂଗ୍ରହ କରିଛନ୍ତି। ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ ଏ ପର୍ଯ୍ୟନ୍ତ ୯୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୩୦୮ ରନ୍ କରିଛନ୍ତି। ଟେଷ୍ଟରେ ବିରାଟ କୋହଲିଙ୍କ ଶ୍ରେଷ୍ଠ ସ୍କୋର ହେଉଛି ୨୫୪ ରନ୍‌ । ଦିନିକିଆରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୮୩ ରନ୍ | କୋହଲି ଟି-୨୦ରେ ଏପର୍ଯ୍ୟନ୍ତ ଏକ ଶତକ କରିପାରି ନାହାଁନ୍ତି ।