କୋହଲିଙ୍କ ଅଧିନାୟକତ୍ବ ଯୁଗ ଶେଷ, ଟେଷ୍ଟ ନେତୃତ୍ବ ବି ଛାଡ଼ିଲେ

ନୂଆଦିଲ୍ଲୀ: ଟି-୨୦ ଏବଂ ଦିନିକିଆ ପରେ ଏବେ ଟେଷ୍ଟରେ ବି ବିରାଟ କୋହଲିଙ୍କ ଅଧିନାୟକତ୍ବ ଯୁଗ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ହାରିବାର ଦିନକ ପରେ କୋହଲି ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ଛାଡିଛନ୍ତି। ସେ ଟ୍ୱିଟରରେ ଏକ ଭାବପ୍ରବଣ ପୋଷ୍ଟ ସହ ଏହି ସୂଚନା ଦେଇଛନ୍ତି। କୋହଲି ୬୮ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ଵ ନେଇଥିବା ବେଳେ ୪୦ଟି ମ୍ୟାଚ୍ ଜିତିଛନ୍ତି ଏବଂ ୧୭ଟି ହାରିଛନ୍ତି | ଅଧିନାୟକ ଭାବେ କୋହଲିଙ୍କ ଶେଷ ସିରିଜରେ ଭାରତ ୧-୨ରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା ।

କୋହଲି ଟ୍ୱିଟର ମାଧ୍ୟମରେ ଏକ ଲମ୍ବା ପୋଷ୍ଟ ସହ ଟେଷ୍ଟ ଅଧିନାୟକତ୍ୱ ଛାଡିବା ନେଇ ସୂଚନା ଦେଇଛନ୍ତି। ସେ ଏଥିରେ ବିସିସିଆଇ ଏବଂ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ବିରାଟ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି।

ବିରାଟ ଚିଠିରେ ଲେଖିଛନ୍ତି ଯେ ମୁଁ ଗତ ୭ ବର୍ଷ ମଧ୍ୟରେ କଠିନ ପରିଶ୍ରମ କରି ଦଳକୁ ସଠିକ୍ ଦିଗକୁ ନେବାକୁ ଚେଷ୍ଟା କରିଛି। ମୁଁ ମୋର ଆନ୍ତରିକତା ସହିତ ମୋର ଦାୟିତ୍ବ ତୁଲାଇଛି |

ବିସିସିଆଇକୁ ଧନ୍ୟବାଦ ଦେଇ କୋହଲି ଲେଖିଛନ୍ତି, ମୁଁ ବିସିସିଆଇକୁ ଧନ୍ୟବାଦ ଜଣାଉଛି, ସେମାନେ ମୋତେ ଏତେ ଦିନ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ରହିବାର ସୁଯୋଗ ଦେଇଛନ୍ତି। ଶେଷରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ନେତୃତ୍ଵ ଦକ୍ଷତାରେ ଭରସା କରିଥିବାରୁ ଧୋନିଙ୍କ ନିକଟରେ ସେ କୃତଜ୍ଞ ।

Comments are closed.