ବିଚାରପତିଙ୍କ ଉପରେ ବିବାଦୀୟ ଟ୍ବିଟ୍ ପାଇଁ ହାଇକୋର୍ଟଙ୍କୁ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ଜଷ୍ଟିସ ଏସ୍ ମୁରଲୀଧରଙ୍କ ଉପରେ ବିବାଦୀୟ ଟ୍ବିଟ୍ ପାଇଁ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଭୀମା କୋରେଗାଓଁ ମାମଲାର ଅଭିଯୁକ୍ତ ସାମାଜିକ କର୍ମୀ ଗୌତମ ନବଲଖାଙ୍କ ଗୃହବନ୍ଦୀ ଏବଂ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ଆବେଦନ ଖାରଜ କୋର୍ଟ ବାତିଲ କରିବା ପରେ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ସମାଲୋଚନା କରି ଟ୍ବିଟ୍ କରିଥିଲେ ।

ଏହି ମାମଲାରେ ହାଇକୋର୍ଟ ୨୦୧୮ ମସିହାରେ ନିଜଆଡୁ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ। ମଙ୍ଗଳବାର ଜଷ୍ଟିସ ସିଦ୍ଧାର୍ଥ ମୁଦ୍ରୁଲ ଏବଂ ଜଷ୍ଟିସ ତଲଓ୍ବନ୍ତଙ୍କ ଡିଭିଜନ ବେଞ୍ଚର କୋର୍ଟ ସମ୍ମୁଖରେ ବିବେକ ଅଗ୍ନିହୋତ୍ରୀ ଏକ ଆବେଦନ ଦାଖଲ କରି ଜଷ୍ଟିସ ମୁରଲୀଧରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ହାଜର ହେବାକୁ ଅନୁମତି ମାଗିଛନ୍ତି ।

ଏହି ମାମଲାରେ କୋର୍ଟ ବିବେକ ଅଗ୍ନିହୋତ୍ରୀଙ୍କ ସହ ସ୍ୱରାଜ୍ୟ ନ୍ୟୁଜ୍ ପୋର୍ଟାଲ ଏବଂ ଆନନ୍ଦ ରଙ୍ଗନାଥନଙ୍କ ବିରୋଧରେ ଏକତରଫା ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିବା ପରେ ଅଗ୍ନିହୋତ୍ରୀ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ମାର୍ଚ୍ଚ ୧୬ରେ ହେବ। ପରବର୍ତ୍ତୀ ଶୁଣାଣିରେ ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶୁଣାଣି ସମୟରେ ଆମିକସ୍ କ୍ୟୁରି କୋର୍ଟଙ୍କୁ କହିଛନ୍ତି ଯେ ବିବେକ ଅଗ୍ନିହୋତ୍ରୀଙ୍କ ତରଫରୁ ଦାଖଲ ସତ୍ୟପାଠ ଏବଂ ଟ୍ୱିଟରର ଜବାବ ମଧ୍ୟରେ ବହୁତ ଫରକ ରହିଛି । ଅନ୍ୟପକ୍ଷରେ ଅଗ୍ନିହୋତ୍ରୀଙ୍କ ଓକିଲ କହିଛନ୍ତି ଯେ ଜଷ୍ଟିସ ମୁରଲିଧରନଙ୍କ ଉପରେ ବିବାଦୀୟ ଟ୍ବିଟକୁ ସେ ହଟାଇ ଦେଇଛନ୍ତି ।

Comments are closed.