ଥମିଲା ପ୍ରଚାର, ଆସନ୍ତାକାଲି ଭୋଟ ଦେବ ପଦ୍ମପୁର | News Room Odisha

ଥମିଲା ପ୍ରଚାର, ଆସନ୍ତାକାଲି ଭୋଟ ଦେବ ପଦ୍ମପୁର

ବରଗଡ଼ – ପଦ୍ମପୁର ଉପନିର୍ବାଚନ ପାଇଁ ଥମିଛି ପ୍ରଚାରର କୋଳାହଳ । ତିନି ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ସୋମବାର ହେବ ଭୋଟ ଗ୍ରହଣ । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ ଭୋଟ ଗ୍ରହଣ । ମତଦାନ ଲାଗି ମୋଟ ୩୧୯ଟି ପୋଲିଂ ବୁଥ୍ କରାଯାଇଛି। ଏଥିମଧ୍ୟରୁ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି ମଡେଲ୍ ବୁଥ୍ ରହିଛି।ନକ୍ସଲ ପ୍ରଭାବିତ ଅଞ୍ଚଳରେ ୭୪ଟି ବୁଥ ରହିଛି । ୭୮ଟି ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।

କଡ଼ା ସୁରକ୍ଷା ମଧ୍ୟରେ ହେବ ଭୋଟ୍ ଗ୍ରହଣ । ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ କରାଯିବ ।

ପଦ୍ମପୁରରେ ମୋଟ ୨ଲକ୍ଷ ୫୭ ହଜାର ୪୭୪ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ଏଠାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି। ଆସନ୍ତା ୮ ତାରିଖରେ ଭୋଟ ଗଣତି ହେବ ।

ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ପଦ୍ମପୁର ଆସନରେ ଉପନିର୍ବାଚନ ହେଉଛି । ସ୍ୱର୍ଗତ ବିଧାୟକଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ପ୍ରଦୀପ ପୁରୋହିତ ବିଜେପି ଓ ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।