ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର୍ ଗ୍ରୁପ ମୁଖ୍ୟ ପ୍ରିଗୋଜିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ | News Room Odisha

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର୍ ଗ୍ରୁପ ମୁଖ୍ୟ ପ୍ରିଗୋଜିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିବା ୱାଗନର୍ ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ୟେଭେଗେନି ପ୍ରିଗୋଜିନ୍ ଏକ ଘରୋଇ ଜେଟ୍‌ରେ ଥିଲେ। ଏହି ବିମାନ ରୁଷର ରାଜଧାନୀ ମସ୍କୋ ନିକଟସ୍ଥ ଟଭର ଅଞ୍ଚଳରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ଏହି ଘରୋଇ ଜେଟ୍‌ର ଯାତ୍ରୀଙ୍କ ତାଲିକାରେ ୱାଗନର୍ ଚିଫ୍ ୟେଭେଗେନି ପ୍ରିଗୋଜିନଙ୍କ ନାମ ମଧ୍ୟ ରହିଛି । ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲା ଏହି ବିମାନ। ଏହି ଦୁର୍ଘଟଣାରେ ପ୍ରିଗୋଜିନଙ୍କ ସହ ସମସ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଜେଟ୍ ବିମାନ ୱାଗନର୍ ଗ୍ରୁପର ଥିଲା ବୋଲି ଜଣାପଡ଼ିଛି ।

ୱାଗନର୍ ଗ୍ରୁପ୍ ହେଉଛି ରୁଷର ଏକ ପ୍ରାଇଭେଟ ମିଲିଟାରୀ ସଂଗଠନ । ୟେଭେଗେନି ପ୍ରିଗୋଜିନ ଏହାର ପ୍ରତିଷ୍ଠାତା ଥିଲେ। ପ୍ରିଗୋଜିନଙ୍କ ଏହି ପ୍ରାଇଭେଟ୍ ଆର୍ମି ୟୁକ୍ରେନ ସହ ଯୁଦ୍ଧରେ ରୁଷୀୟ ସେନାକୁ ସହଯୋଗ କରିଥିଲା । ତେବେ ଚଳିତ ଜୁନରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ୟେଭେଗେନି ପ୍ରିଗୋଜିନ ବିଦ୍ରୋହ କରି ହଇଚଇ ସୃଷ୍ଟି କରିଥିଲେ । ପରେ କିନ୍ତୁ ରୁଷ ସରକାରଙ୍କ ସହ ଆପୋଷ ବୁଝାମଣା ପରେ ସେ ଏଥିରୁ ଓହରିଥିଲେ ଓ ନିର୍ବାସନରେ ପଡ଼ୋଶୀ ବେଲାରୁଷକୁ ଚାଲି ଯାଇଥିଲେ ।

ବିମାନ ଦୁର୍ଘଟଣାର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ୱାଗନର୍ ଗ୍ରୁପ୍ ସହିତ ଜଡ଼ିତ ଏକ ମିଡିଆ ଚ୍ୟାନେଲ ଏହି ଦୁର୍ଘଟଣା ପଛରେ ରୁଷ ସରକାରଙ୍କ ହାତ ରହିଛି ବୋଲି ଦାବି କରିଛି । ରୁଷର ଏୟାର ଡିଫେନ୍ସ ମିସାଇଲ ବିମାନଟିକୁ ଖସାଇ ଦେଇଛି ବୋଲି ଅଭିଯୋଗ ହୋଇଛି । କେତେକ ଚ୍ୟାନେଲ ଦାବି କରିଛନ୍ତି ଯେ ଜୁନ୍ ମାସରୁ ହିଁ ରୁଷର ପ୍ରଶାସନ ପ୍ରିଗୋଜିନଙ୍କ ଉପରେ କ୍ଷୁବ୍ଧ ଥିଲା ଓ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।