ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା 'ଦି କେରଳ ଷ୍ଟୋରି' | News Room Odisha

ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦି କେରଳ ଷ୍ଟୋରି’

କୋଲକାତା:ପଶ୍ଚିମବଙ୍ଗରେ ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ଉପରେ ଲାଗିଛି ବ୍ୟାନ୍। ଏହାର ସ୍କ୍ରିନିଂ ଉପରେ ତତ୍କାଳ ରୋକ୍ ଲଗାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘୃଣା ଓ ହିଂସା ଘଟଣାକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଫିଲ୍ମର ସ୍କ୍ରିନିଂ କଲେ ସମ୍ପୃକ୍ତ ସିନେମା ହଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମମତା ସରକାର ।

ଏହାପୂର୍ବରୁ ମମତା କହିଥିଲେ ଯେ ଏହି ଫିଲ୍ମରେ ତଥ୍ୟ ଗୁଡ଼ିକୁ ଅତିରଞ୍ଜିତ କରି ପ୍ରଦର୍ଶିତ କରାଯାଇଛି । ଏହି ଫିଲ୍ମ କେବଳ କେରଳକୁ ବଦନାମ କରିବାକୁ ଉଦ୍ଦିଷ୍ଟ ।

କେରଳରେ ହିନ୍ଦୁ ଯୁବତୀମାନଙ୍କ କିପରି ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସରେ ସାମିଲ କରାଯାଉଛି ତାହା ଏହି ଫିଲ୍ମର କଥାବସ୍ତୁ । ସୁଦୀପ୍ତ ସେନ୍ ହେଉଛନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ।

ତାମିଲନାଡ଼ୁରେ ମଧ୍ୟ ‘ଦି କେରଳ ଷ୍ଟୋରି’ର ସ୍କ୍ରିନିଂ ବନ୍ଦ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ତାମିଲନାଡ଼ୁର ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ବିଜେପି ଶାସିତ ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି ।