ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବଢ଼ାଇଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ପଶ୍ଚିମବଙ୍ଗ ସରକାର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବଢ଼ାଇଛନ୍ତି । ଗାଙ୍ଗୁଲିଙ୍କୁ ଏବେ ‘ଜେଡ୍’ କାଟେଗୋରି ସୁରକ୍ଷା ଦିଆଯିବ ।

ସୌରଭ ଗାଙ୍ଗୁଲିଙ୍କୁ ପୂର୍ବରୁ ‘ଓ୍ବାଇ’ କାଟେଗୋରି ସୁରକ୍ଷା ଦିଆଯାଉଥିଲା । ଏହାର ମିଆଦ ଶେଷ ହେବା ପରେ ତାଙ୍କ ସୁରକ୍ଷାର ସମୀକ୍ଷା କରାଯାଇଥିଲା । ତାଙ୍କୁ ଏବେ ‘ଜେଡ୍’ କାଟେଗୋରି ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜଣେ ଅଧିକାରୀ କହିଛନ୍ତି, “ଯେକୌଣସି ଭିଭିଆଇପିଙ୍କ ସୁରକ୍ଷା କଭର କାର୍ଯ୍ୟକାଳ ଶେଷ ହେବା ପରେ ପ୍ରୋଟୋକଲ୍ ଅନୁଯାୟୀ ଏହାର ସମୀକ୍ଷା କରାଯାଇଥାଏ। ଏହି ପ୍ରକ୍ରିୟା ଅନୁଯାୟୀ ଗାଙ୍ଗୁଲିଙ୍କ ସୁରକ୍ଷାକୁ ‘ଓ୍ବାଇ’ ରୁ ‘ଜେଡ୍’କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂଆ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଗାଙ୍ଗୁଲିଙ୍କ ସୁରକ୍ଷାରେ ବର୍ତ୍ତମାନ ୮ ରୁ ୧୦ ଜଣ ପୋଲିସ ମୁତୟନ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସହିତ ତିନି ଜଣ ପୋଲିସ ରହୁଥିଲେ।

ଗାଙ୍ଗୁଲି ବର୍ତ୍ତମାନ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କ୍ରିକେଟ୍ ଡାଇରେକ୍ଟର ଦାୟିତ୍ବ ତୁଲାଉଛନ୍ତି । ଦିଲ୍ଲୀ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି । ଗାଙ୍ଗୁଲି ମେ ୨୧ରେ କୋଲକାତା ଫେରିବେ। ସେହି ଦିନଠାରୁ ତାଙ୍କୁ ‘ଜେଡ୍’ ସୁରକ୍ଷା ଦିଆଯିବ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ତୃଣମୂଳ କଂଗ୍ରେସ ସାଂସଦ ତଥା ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଜେଡ୍ + ସୁରକ୍ଷା ମିଳିବ।

Comments are closed.