କୋଭିଡ୍ ମହାମାରୀ ଆହୁରି ଶେଷ ହୋଇନାହିଁ, ଚେତାଇଲେ ‘ହୁ’ମୁଖ୍ୟ

ବର୍ଲିନ୍: କରୋନା ଭାଇରସ୍ ସଂକ୍ରମଣ ହ୍ରାସ ହୋଇଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । କୋଭିଡ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ମହାମାରୀ ବିରୋଧରେ ପ୍ରତିରକ୍ଷା ବ୍ୟବସ୍ଥାରେ ଢ଼ିଲାପଣ ମହଙ୍ଗା ପଡ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସସ୍ ସବୁ ଦେଶର ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଜେନେଭାରେ ଅନୁଷ୍ଠିତ’ହୁ’ର ବାର୍ଷିକ ବୈଠକରେ ଗେବ୍ରେସସ୍ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି ଯେ ନମୁନା ପରୀକ୍ଷା ଏବଂ ଜିନୋମ ସ୍ବିକ୍ବେନ୍ସିଂ ହାର କମିବା ଅର୍ଥ ଆମେ ଭାଇରସର ଉପସ୍ଥିତି ପ୍ରତି ଆଖି ବୁଜି ଦେଉଛୁ। ସ୍ୱଳ୍ପ ଆୟକାରୀ ଦେଶଗୁଡିକ ଏପର୍ଯ୍ୟନ୍ତ ନିଜ ନାଗରିକଙ୍କୁ କୋଭିଡ୍ ନିରୋଧୀ ଟିକା ଦେଇନାହାନ୍ତି |

ବିଶ୍ଵ ସ୍ଥିତିକୁ ଓ ସମ୍ପ୍ରତି ସାପ୍ତାହିକ ରିପୋର୍ଟକୁ ଦୃଷ୍ଟିରେ ରଖି ଗେବ୍ରେସସ୍ କହିଛନ୍ତି ଯେ ମାର୍ଚ୍ଚ ଠାରୁ ନୂଆ ମାମଲାଗୁଡ଼ିକର ହ୍ରାସ ହେବାର ଅନେକ ସପ୍ତାହ ପରେ ସଂକ୍ରମଣ ସ୍ଥିର ରହିଛି। ଏଥିସହିତ ମୃତ୍ୟୁ ମାମଲାରେ ମଧ୍ୟ ହ୍ରାସ ଘଟିଛି। ସେ କହିଛନ୍ତି ଯେ ସ୍ଥିତିର ଉନ୍ନତି ଏବଂ ବିଶ୍ବର ୬୦% ଲୋକଙ୍କ ଟିକାକରଣ କରାଯିବା ସତ୍ତ୍ୱେ ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ଏହାର ବିପଦ ଦୂର ହେବ ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର ଭାରତର ଏକ ଲକ୍ଷ ମହିଳା ଆଶାକର୍ମୀଙ୍କୁ ସମ୍ମାନିତ କରିଛି | ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ତଥା ଦେଶରେ କରୋନା ଭାଇରସ ମହାମାରୀ ବିରୋଧରେ ଅଭିଯାନରେ ସେମାନଙ୍କ ଭୂମିକାକୁ ସ୍ବୀକୃତି ପୂର୍ବକ ଆଶାକର୍ମୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି | ଭାରତରେ ଯେତେବେଳେ କରୋନା ଭାଇରସ ମହାମାରୀର ଶୀର୍ଷରେ ଥିଲା, ଆଶାକର୍ମୀମାନେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରି ଚାରିଆଡ଼େ ପ୍ରଶଂସା ସାଉଁଟିଥିଲେ ।

Comments are closed.