ଘାରିଲା ଓମିକ୍ରନ୍‌ ଭୟ: ଛୁଟିଦିନର କାର୍ଯ୍ୟକ୍ରମ ବାତିଲ କରିବାକୁ ଲୋକଙ୍କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଲୋକଙ୍କୁ ଛୁଟିରେ ନିଜର କିଛି ପ୍ରସ୍ତାବିତ କାର୍ଯ୍ୟକ୍ରମ ଯୋଜନା ବାତିଲ କରିବାକୁ ନିବେଦନ କରିଛି।

ହୁ’ର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ଜୀବନ ପ୍ରତି ବିପଦ ଅପେକ୍ଷା କାର୍ଯ୍ୟକ୍ରମ ବାତିଲ କରିବା ଭଲ।

ସେ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ‘କଷ୍ଟଦାୟକ ନିଷ୍ପତ୍ତି’ ଗ୍ରହଣ କରିବାକୁ ପଡିବ ଅର୍ଥାତ୍ ଆମକୁ କେତେକ କ୍ଷେତ୍ରରେ କିଛି କାର୍ଯ୍ୟକ୍ରମ ବାତିଲ କିମ୍ବା ସ୍ଥଗିତ ରଖିବାକୁ ପଡ଼ବ। ” ଡେଲଟା ଅପେକ୍ଷା ଓମିକ୍ରନ୍ ଶୀଘ୍ର ବ୍ୟାପୁଥିବାର ପ୍ରମାଣ ରହିଛି ବୋଲି ସେ କହିଛନ୍ତି ।

ଡକ୍ଟର ଟେଡ୍ରୋସଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଫ୍ରାନ୍ସ ଏବଂ ଜର୍ମାନୀ ସମେତ ଅନେକ ଦେଶ ପୁଣି କୋଭିଡ୍ କଟକଣା କଡାକଡି କରିଛନ୍ତି ଏବଂ ପର୍ବପର୍ବାଣି ସିଜିନରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ସହିତ ଖ୍ରୀଷ୍ଟମାସ ସମୟରେ ନେଦରଲ୍ୟାଣ୍ଡ କଡା ଲକଡାଉନ୍ ଘୋଷଣା କରିଛି।

ସେପଟେ ଆମେରିକାରେ ମଧ୍ୟ ଓମିକ୍ରନ ବେକାବୁ ହେବାରେ ଲାଗିଛି । ତେବେ ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ ଦେଶରେ ଲକଡାଉନ ଲଗାଇବାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ କୌଣସି ଯୋଜନା ନାହିଁ । କିନ୍ତୁ ଏହା ପୂର୍ବରୁ ଦେଶର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ଯେ ଖ୍ରୀଷ୍ଟମାସ ସମୟରେ ଓମିକ୍ରୋନର ମାମଲା ଆହୁରି ବଢ଼ିପାରେ ଏବଂ ଟିକା ନେଇଥିବା ଲୋକଙ୍କର ମଧ୍ୟ ସଂକ୍ରମଣର ବିପଦ ଅଛି |

Comments are closed.