‘ହୁ’ର ଚେତାବନୀ: ଓମିକ୍ରନ୍ ବିସ୍ଫୋରଣରୁ ସୃଷ୍ଟି ହୋଇପାରେ ଆହୁରି ଘାତକ ଭାରିଆଣ୍ଟ୍

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି | କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ଅନେକ ଦେଶର ଚିନ୍ତା ବଢାଇ ଦେଇଛି | ଓମିକ୍ରନର ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶ କଟକଣା କଡ଼ାକଡ଼ି କରିଛନ୍ତି | ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଓମିକ୍ରନ ସମ୍ବନ୍ଧରେ ଏକ ନୂଆ ଚେତାବନୀ ଜାରି କରିଛି | ‘ହୁ’ କହିଛି ଯେ ଓମିକ୍ରନ୍ ଆହୁରି ଘାତକ ଭାରିଆଣ୍ଟକୁ ଜନ୍ମ ଦେଇପାରେ । ଏହାଛଡ଼ା ଥଣ୍ଡା ଏବଂ କାଶକୁ ସାଧାରଣ ରୋଗ ଭାବେ ଧରି ନେବା ଭୁଲ୍ ନ କରିବାକୁ ମଧ୍ୟ ‘ହୁ’ ଚେତାବନୀ ଦେଇଛି | ଏହା ଓମିକ୍ରନ୍ ଲକ୍ଷଣ ବି ହୋଇପାରେ । ଓମିକ୍ରନ୍ ଯୋଗୁଁ ସମଗ୍ର ଚିକିତ୍ସା ବ୍ୟବସ୍ଥା ଭୁଷୁଡି ଯାଇପାରେ ବୋଲି ‘ହୁ’ ସତର୍କ କରାଇଛି |

‘ହୁ’ ର ବରିଷ୍ଠ ଜରୁରୀକାଳୀନ ଅଧିକାରୀ କ୍ୟାଥରିନ୍ ସ୍ମଲଉଡ୍ କହିଛନ୍ତି ଯେ ବର୍ତ୍ତମାନ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ଅଟେ। ଓମିକ୍ରନ୍ ସଂକ୍ରମଣର ବୃଦ୍ଧି ହାର ଏହାର ବିପରୀତ ପ୍ରଭାବ ପକାଇପାରେ | ଏହା ଆଉ ଏକ ଘାତକ ଷ୍ଟ୍ରେନକୁ ସୃଷ୍ଟି କରିପାରେ । ଓମିକ୍ରନ୍ ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ସାମାନ୍ୟ କମ୍ ସାଂଘାତିକ, କିନ୍ତୁ ଏହା ମୃତ୍ୟୁର କାରଣ ହୋଇପାରେ। ସେ କହିଛନ୍ତି ଯେ ଆମେ ଏକ ବିପଜ୍ଜନକ ଅବସ୍ଥାରେ ଅଛୁ। ପଶ୍ଚିମ ୟୁରୋପରେ ଆମେ ସଂକ୍ରମଣ ହାରରେ ଏକ ଚିନ୍ତାଜନକ ବୃଦ୍ଧି ଦେଖୁଛୁ ଏବଂ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

ଏହାପୂର୍ବରୁ ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରାସ ଆଡାନାମ ଗେବ୍ରିଏସସ କହିଛନ୍ତି ଯେ ଡେଲଟା ବିସ୍ଫୋରଣ ସମୟରେ ଓମିକ୍ରନ୍ ଅଧିକ ସଂକ୍ରମିତ ହୋଇ ନୂଆ ମାମଲାର ସୁନାମି ଆଣିପାରେ । ନୂତନ ଭାରିଆଣ୍ଟ ଓମିକ୍ରନ୍ ସହିତ ଜଡିତ ବିପଦ ବେଶ୍ ଅଧିକ | ‘ହୁ’ ସୂଚନା ଅନୁଯାୟୀ ଓମିକ୍ରନ୍ ଇତି ମଧ୍ୟରେ ୧୦୦ଟି ଦେଶରେ ପହଞ୍ଚିଛି । ଭାରତର ମଧ୍ୟ ୨୩ଟି ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ରିପୋର୍ଟ ହୋଇଛି। ଭାରତରେ ଏହି ଭାରିଆଣ୍ଟ ଜନିତ ମାମଲା ୨୦୦୦ ଛୁଇଁଛି ।

Comments are closed.