ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ, ଛୁଟିଲା ଶୁଭେଚ୍ଛାର ସୁଅ | News Room Odisha

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ, ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ରାଜନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଜେପି ମଧ୍ୟ ଆଜିଠାରୁ ଅକ୍ଟୋବର ୨ ତଥା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପର୍ଯ୍ୟନ୍ତ ‘ସେବା ପକ୍ଷ’ ପାଳନ କରିବ । ଦଳ ଆସନ୍ତା ୧୫ ଦିନ ଯାଏଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ସହିତ ସମାଜର ବିଭିନ୍ନ ବର୍ଗଙ୍କ ନିକଟରେ ପହଞ୍ଚିବ |

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ନିଜ ଦୂରଦୃଷ୍ଟି ଏବଂ ଦୃଢ଼ ନେତୃତ୍ୱ ସହ ମୋଦୀ ‘ଅମୃତ କାଳ’ରେ ପ୍ରତ୍ୟେକ କ୍ଷେତ୍ରରେ ଭାରତର ବିକାଶର ପଥ ସୁଗମ କରନ୍ତୁ।

ମୋଦୀଙ୍କୁ ନୂଆ ଭାରତର ସ୍ଥପତି ଭାବେ ବର୍ଣ୍ଣନା କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ପ୍ରାଚୀନ ଐତିହ୍ୟ ଆଧାରରେ ସେ ଏକ ଭବ୍ୟ ତଥା ଆତ୍ମନିର୍ଭରଶୀଳ ଭାରତର ମଜବୁତ ମୂଳଦୁଆ ସ୍ଥାପନ କରିଛନ୍ତି।

ଦଳୀୟ ସଂଗଠନ ହେଉ ଅବା ସରକାର, ଆମେ ମୋଦୀଙ୍କ ଠାରୁ ସର୍ବଦା ଜାତୀୟ ସ୍ୱାର୍ଥର ପ୍ରେରଣା ପାଇଥାଉ। ଏଭଳି ଅନନ୍ୟ ନେତାଙ୍କ ଅଧୀନରେ ଦେଶ ସେବା କରିବା ତାଙ୍କର ସୌଭାଗ୍ୟ ବୋଲି ଶାହ କହିଛନ୍ତି ।

ତାଙ୍କୁ ଶୁଭେଚ୍ଛା ଜଣାଇ ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ବିଶ୍ୱରେ ଭାରତୀୟ ସଂସ୍କୃତିର ପ୍ରତିଷ୍ଠା, ଲୋକମାନଙ୍କର ବହୁମୁଖୀ ବିକାଶ ଏବଂ ଦେଶର ସାମୂହିକ ପ୍ରଗତିକୁ ପ୍ରଧାନମନ୍ତ୍ରୀ ଦୃଷ୍ଟାନ୍ତମୂଳକ ରୂପ ଦେଇଛନ୍ତି।

ଆମ ‘ଅନ୍ତୋଦୟ’ ଯୋଜନାର ସୁଫଳ (ସାମାଜର ସବୁଠୁ ନିଷ୍ପେସିତ) ପ୍ରତ୍ୟେକ ଗ୍ରାମ ତଥା ସମାଜର ପ୍ରତ୍ୟେକ ବର୍ଗ ନିକଟରେ ପହଞ୍ଚିଛି ଏବଂ ଏକ ବିକଶିତ ଭାରତର ମନ୍ତ୍ର ପାଲଟିଛି ବୋଲି ନଡ୍ଡା ଏକ୍ସରେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୋଦୀ କେବଳ ଭାରତକୁ ଏକ ନୂଆ ପରିଚୟ ଦେଇନାହାଁନ୍ତି ବରଂ ବିଶ୍ୱରେ ଦେଶର ସମ୍ମାନ ବଢାଇଛନ୍ତି । ତାଙ୍କୁ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରି ପ୍ରଧାନମନ୍ତ୍ରୀ ଭାରତର ବିକାଶକୁ ନୂତନ ଉଚ୍ଚତାକୁ ନେଇଛନ୍ତି ବୋଲି ସେ କହିଛନ୍ତି।

ନିଜ ଜନ୍ମଦିନରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ରବିବାର ‘ବିଶ୍ୱକର୍ମା ଜୟନ୍ତୀ’ ଅବସରରେ ମୋଦୀ ତାଙ୍କ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ‘ପିଏମ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ। କୌଳିକ ବୃତ୍ତି ସହ ଜଡିତ କାରିଗର ଏବଂ ଶିଳ୍ପୀ ତଥା ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ । ସାଧାରଣତଃ ଏପରି କୌଳିକ ବୃତ୍ତି କରୁଥିବା ଲୋକମାନେ ଅନ୍ୟାନ୍ୟ ପଛୁଆ ବର୍ଗର ହୋଇଥିବାରୁ ୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳର ଏହି ଯୋଜନା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମାଜର ଏହି ବର୍ଗ ନିକଟରେ ପହଞ୍ଚିବା ଶାସକ ବିଜେପିର ଏକ ପ୍ରୟାସ ଭାବେ ଦେଖାଯାଉଛି।

ଏହାଛଡ଼ା ମୋଦୀ ଦ୍ୱାରକାଠାରେ ‘ଯଶୋଭୂମି’ ନାମକ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର (ଆଇଆଇସିସି) ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନର ଦ୍ୱାରକା ସେକ୍ଟର ୨୧ରୁ ଦ୍ୱାରକା ସେକ୍ଟର ୨୫ରେ ଏକ ନୂଆ ମେଟ୍ରୋ ଷ୍ଟେସନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।