ସୁନ୍ଦର ଖେଳର ମହାକୁମ୍ଭ

ଲେଖକ : ବିଜନ କୁମାର ମହାପାତ୍ର

ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲ । ସୁନ୍ଦର ଖେଳ ଭାବେ ଆଖ୍ୟା ପାଇଛି ଫୁଟବଲ । ପୃଥିବୀର ପ୍ରାୟ ସବୁ ଦେଶରେ ଖେଳାଯାଏ ଫୁଟବଲ । ଅନ୍ୟ କ୍ରୀଡାବିତଙ୍କର ବି ଫୁଟବଲ ପ୍ରତି ଥାଏ ଆକର୍ଷଣ । ଆଉ ଏହି ସୁନ୍ଦର ଓ ରୋମାଂଚକର ଖେଳର ସୋ ପିସ୍ ଇଭେଂଟ ହେଉଛି ଫିଫା ବିଶ୍ୱକପ୍ ଫୁଟବଲ । ଚାରି ବର୍ଷକୁ ଥରେ ଆୟୋଜିତ ହୁଏ ଲୋକପ୍ରିୟ ଖେଳର ବିଶ୍ୱ ମହାକୁମ୍ଭ । ଫୁଟବଲ ବିଶ୍ୱକପର ଏଯାଏଁ ୨୧ଟି ସଂସ୍କରଣ ଆୟୋଜିତ ହୋଇସାରିଛି । ଏ ବର୍ଷ ଏସିଆର ତୈଳ ସମୃଦ୍ଧ ଦେଶ କାତାରରେ ଆୟୋଜିତ ହେଉଛି ଫୁଟବଲ ବିଶ୍ୱକପର ୨୨ତମ ସଂସ୍କରଣ । ନଭେମ୍ବର ୨୦ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ସାରାଦେଶର ପ୍ରଶଂସକଙ୍କ ନଜର ଏବେ କାତାର ଉପରେ । ଏସିଆ ମହାଦେଶରେ ମାତ୍ର ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଛି ବିଶ୍ୱ ଫୁଟବଲର ମହାକୁମ୍ଭ । ଆୟୋଜକ ଦେଶ କାତାର ଓ ଯୋଗ୍ୟତା ହାସଲ କରିଥିବା ଅନ୍ୟ ୩୧ଟି ଦେଶର ଟିମ୍ ବିଶ୍ୱ ଟାଇଟଲ ପାଇଁ ଲଢେଇ କରିବେ । ଗତଥରର ଚାମ୍ପିଅନ ଫ୍ରାନସ, ୫ ଥରର ଚାମ୍ପିଅନ ବ୍ରାଜିଲ , ୪ ଥରର ଚାମ୍ପିଅନ ଜର୍ମାନୀ, ଦୁଇ ଥରର ଚାମ୍ପିଅନ ଆର୍ଜେଂଟିନା, ସ୍ପେନ ଇଂଲଣ୍ଡ, ପର୍ତ୍ତୃଗାଲ , ବେଲଜିୟମ, କ୍ରୋଏସିଆ ଭଳି ଟିମ ଟାଇଟଲ୍ ପାଇଁ ଫେଭରିଟ ବୋଲି କୁହାଯାଉଛି । ୪ ଥରର ବିଶ୍ୱ ବିଜେତା ଇଟାଲୀ ଏ ବର୍ଷ ଯୋଗ୍ୟତାହାସଲ କରି ନଥିବାରୁ ଫୁଟବଲପ୍ରେମୀ ନିରାଶ । ଫୁଟବଲରେ ସବୁ କିଛି ଓଲଟପାଲଟ ହୋଇପାରେ । କାରଣ ପ୍ରତିଦ୍ୱନ୍ଦିତାର ସ୍ତର ଏତେ ଉନ୍ନତ ଯେ, ଅପେକ୍ଷାକୃତ ଦୁର୍ବଳ ଦଳ ବି ବିଶ୍ୱକପରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ ।

First World Cup Final 1930

୧୯୩୦ ମସିହାରେ ଆୟୋଜିତ ହୋଇଥିଲା ସର୍ବାଧିକ ଲୋକପ୍ରିୟ ଖେଳର ପ୍ରଥମ ବିଶ୍ୱ ପ୍ରତିଯୋଗିତା । ଦକ୍ଷିଣ ଆମେରିକୀୟ ଦେଶ ଉରୁଗୁଏ ଥିଲା ଉଦଘାଟନୀ ଫୁଟବଲ ବିଶ୍ୱକପର ଆୟୋଜକ । ପ୍ରଥମେ ଫୁଟବଲ କେବଳ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ହିଁ ଖେଳାଯାଉଥିଲା । ତେବେ, ଅଲିମ୍ପିକ୍ସରେ କେବଳ ଅଣପେଷାଦାର ଫୁଟବଲ ଖେଳାଳିମାନଙ୍କ ଅଂଶଗ୍ରହଣ ବାଧ୍ୟତାମୂଳକ ଥିଲା । ତେଣୁ ଆକର୍ଷଣୀୟ ହୋଇପାରୁନଥିଲା ଅଲିମ୍ପିକ୍ସ ଫୁଟବଲ । ତେଣୁ ଫୁଟବଲ ପାଇଁ ଏକ ପୃଥକ ବିଶ୍ୱ ପ୍ରତିଯୋଗିତା ପାଇଁ ଆନ୍ତର୍ଜାତିକ ଫୁଟବଲ ମହାସଂଘ – ଫିଫା ବିଚାର କରିଥିଲା । ୧୯୦୪ ମସିହାରେ ଫିଫା ଅଧିବେଶନରେ ଫୁଟବଲ୍ ପାଇଁ ବିଶ୍ୱକପ ଆୟୋଜନର ପରିକଳ୍ପନା କରାଯାଇଥିଲା । ହେଲେ ୨୬ ବର୍ଷ ପରେ ହିଁ ଏହା ବାସ୍ତବତାରେ ପରିଣତ ହୋଇଥିଲା । ଫ୍ରାନସର ଉଦ୍ୟମୀ ଫୁଟବଲ ପ୍ରଶାସକ ଜୁଲ୍ସ ରିମେଟ ଫିଫାର ନେତୃତ୍ୱ ନେବା ପରେ ହିଁ ବିଶ୍ୱକପ୍ ଆୟୋଜନ ନେଇ ତ୍ୱରାନ୍ୱିତ ହୋଇଥିଲା ପ୍ରୟାସ । ୧୯୨୦ ମସିହାରେ ଅଂଟୱେର୍ପରେ ଆୟୋଜିତ ଫିଫା ଅଧିବେଶନରେ ଫୁଟବଲ ବିଶ୍ୱକପ ପାଇଁ ଆଗତ ହୋଇଥିଲା ପ୍ରସ୍ତାବ । ୧୯୨୪ ମସିହାର ଫିଫା ଅଧିବେଶନରେ ଏ ସଂପର୍କରେ ବ୍ୟାପକ ବିଚାରବିମର୍ଷ ପରେ ୧୯୩୦ ମସିହାରେ ପ୍ରଥମ ବିଶ୍ୱକପ ଆୟୋଜନ କରିବାକୁ ନିଷ୍ପତ୍ତି ହେଲା । କିନ୍ତୁ ଉଦଘାଟନୀ ସଂସ୍କରଣ ପାଇଁ ଆୟୋଜକ ଦେଶ ମିଳୁ ନଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଆଗେଇ ଆସିଥିଲା ୧୯୨୮ ଅଲିମ୍ପିକ ଫୁଟବଲ ଚାମ୍ପିଅନ ଉରୁଗୁଏ । ଉଦଘାଟନୀ ବିଶ୍ୱକପ ଆୟୋଜନ ପାଇଁ ଏକ ନୂଆ ଷ୍ଟାଡିୟମ ନିର୍ମାଣ ସହ ଭାଗନେବାକୁ ଥିବା ଦଳଗୁଡିକର ଗସ୍ତ ଓ ରହଣୀ ଖର୍ଚ୍ଚ ବହନ କରିବା ଭଳି ଲୋଭନୀୟ ପ୍ରସ୍ତାବ ଦେଇଥିଲା ଉରୁଗୁଏ । ଫଳସ୍ୱରୂପ ଉରୁଗୁଏକୁ ହିଁ ଦିଆଯାଇଥିଲା ପ୍ରଥମ ଫୁଟବଲ୍ ବିଶ୍ୱକପ ଆୟୋଜନର ଦାୟିତ୍ୱ ।

First Champion Team -Uruguye

ଜୁଲାଇ ୧୩ , ୧୯୩୦ ମସିହାରେ ଫୁଟବଲ ଇତିହାସରେ ଲେଖାଗଲା ନୂଆ ଅଧ୍ୟାୟ । ଖେଳାଯାଇଥିଲା ଉଦଘାଟନୀ ଫୁଟବଲ ବିଶ୍ୱକପର ସର୍ବପ୍ରଥମ ମ୍ୟାଚ୍ । ଉଦଘାଟନୀ ମ୍ୟାଚରେ ମେକ୍ସିକୋ ବିପକ୍ଷରେ ୪-୧ ଗୋଲରେ ବିଜୟୀ ହୋଇଥିଲା ଫ୍ରାନ୍ସ । ପ୍ରଥମ ବିଶ୍ୱକପର ପ୍ରଥମ ଗୋଲ୍ ସ୍କୋରର ଥିଲେ ଫ୍ରାନସର ଲୁସିଏନ ଲରେଂଟ୍ । ତେବେ ଫୁଟବଲ ବିଶ୍ୱକପର ପ୍ରଥମ ସଂସ୍କରଣରେ ଭାଗ ନେଇ ନଥିଲେ ଅନେକ ୟୁରୋପୀୟ ଦେଶ । ଉରୁଗୁଏକୁ ଜଳପଥରେ ଯାତ୍ରା ବ୍ୟୟବହୁଳ ଓ ସମୟସାପେକ୍ଷ ଥିବାରୁ ଅନେକ ଦେଶ ଭାଗ ନେଇ ନ ଥିଲେ । ଇଂଲଣ୍ଡ, ଇଟାଲୀ,ସ୍ପେନ, ହଙ୍ଗେରୀ ଭଳି ଶକ୍ତିଶାଳୀ ୟୁରୋପୀୟ ଦେଶ ଟିମ୍ ପଠାଇ ନଥିଲେ । କେବଳ ଫ୍ରାନସ, ରୋମାନିଆ, ବେଲଜିୟମ ଓ ୟୁଗୋସ୍ଲୋଭିଆ ହିଁ ୟୁରୋପରୁ ଭାଗ ନେଇଥିଲେ । ପ୍ରଥମ ସଂସ୍କରଣରେ ଭାଗ ନେଇଥିଲେ ମୋଟ ୧୩ଟି ଦଳ । ଆୟୋଜକ ଉରୁଗୁଏ ଥିଲା ଟାଇଟଲ ପାଇଁ ପ୍ରବଳ ଦାବିଦାର । ଗ୍ରୁପ ପର୍ଯ୍ୟାୟ ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଫାଇନାଲରେ ଚିରାଚରିତ ପ୍ରତିଦ୍ୱନ୍ଦୀ ଆର୍ଜେଂଟିନାକୁ ୨-୪ ଗୋଲରେ ହରାଇ ଆୟୋଜକ ଉରୁଗୁଏ ହୋଇଥିଲା ପ୍ରଥମ ଫୁଟବଲ ବିଶ୍ୱକପର ଚାମ୍ପିଅନ । ରାଜଧାନୀ ମଂଟେଭିଡିଓରେ ନବନିର୍ମିତ ଫୁଟବଲ ଷ୍ଟାଡିୟମରେ ପ୍ରାୟ ୮୦ ହଜାର ଦର୍ଶକ ଉପଭୋଗ କରିଥିଲେ ଫାଇନାଲ୍ ମ୍ୟାଚ୍ ।
ଉରୁଗୁଏରୁ ଆରମ୍ଭ ହୋଇଥିଲା ଫୁଟବଲ ବିଶ୍ୱକପର ଜୟଯାତ୍ରା । ଏ ଯାଏଁ ୨୧ଟି ସଂସ୍କରଣ ଆୟୋଜିତ ହୋଇସାରିଛି । ଦକ୍ଷିଣ ଆମେରିକା ଓ ୟୁରୋପ ମହାଦେଶର ଦେଶ ହିଁ ବିଶ୍ୱକପ ଜିତିଛନ୍ତି । ମହାନ ଖେଳାଳିଙ୍କ ପେଲେଙ୍କ ଦେଶ ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ବେଳେ ଇଟାଲୀ ଓ ଜର୍ମାନୀ ( ତତ୍କାଳୀନ ପଶ୍ଚିମ ଜର୍ମାନୀକୁ ମିଶାଇ ) ୪ ଥର ଲେଖାଏଁ ଟାଇଟଲ ଜିତିଛନ୍ତି । ଉରୁଗୁଏ, ଆର୍ଜେଂଟିନା , ଫ୍ରାନ୍ସ ଦୁଇଥର ଲେଖାଏଁ ବିଶ୍ୱକପ ଜିତିଛନ୍ତି । ଇଂଲଣ୍ଡ ଓ ସ୍ପେନ ମାତ୍ର ଥରେ ଲେଖାଏଁ ହିଁ ଟାଇଟଲ ଜିତିଛନ୍ତି । ଇଂଲଣ୍ଡ ୧୯୬୬ରେ ନିଜ ମାଟିରେ ଆୟୋଜିତ ବିଶ୍ୱକପରେ ହିଁ ଚାମ୍ପିଅନ ହୋଇପାରିଥିଲା । ସ୍ପେନ ୨୦୧୦ରେ ଜିତିଥିଲା ଟାଇଟଲ୍ । ହେଲେ ୟୁରୋପର ଅନ୍ୟତମ ଶକ୍ତିଶାଳୀ ଦଳ ନେଦରଲାଣ୍ଡସ ଉନ୍ନତ ପ୍ରଦର୍ଶନ ସତ୍ତ୍ୱେ ଥରୁଟିଏ ବି ବିଶ୍ୱ ଟାଇଟଲ୍ ଜିତିପାରିନାହିଁ । ଅନେକ ମହାନ ଖେଳାଳିଙ୍କୁ ସୃଷ୍ଟି କରିଥିବା ନେଦରଲାଣ୍ଡ୍‌ସ ୧୯୭୪, ୧୯୭୮ ଓ ୨୦୧୦ ମସିହାର ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପ୍ରତ୍ୟେକଥର ଉପବିଜେତା ଭାବେ ସନ୍ତୁଷ୍ଟ ହୋଇଛି । ନେଦରଲାଣ୍ଡସ ଓ ଇଂଲଣ୍ଡ ବିଶ୍ୱକପ ଫୁଟବଲର ଅଣ୍ଡରଆଚିଭର ଟିମ ଭାବେ ବିବେଚିତ ।
ବ୍ରାଜିଲ, ଇଟାଲୀ, ଜର୍ମାନୀ ,ଆର୍ଜେଂଟିନା,ଫ୍ରାନ୍ସ, ସ୍ପେନ ବିଶ୍ୱ ଫୁଟବଲର ପାରମ୍ପରିକ ପାୱାରହାଉସ । ହେଲେ ପର୍ତ୍ତୁଗାଲ, ବେଲଜିୟମ, କ୍ରୋଏସିଆ, ସେନେଗାଲ ଭଳି ଟିମର ପ୍ରଦର୍ଶନ ଉଚ୍ଚକୋଟୀର ରହିଆସିଛି । ଏସୀୟ ଦେଶଗୁଡିକ ମଧ୍ୟରେ ଜାପାନ,ଦକ୍ଷିଣ କୋରିଆ , ଇରାନ ଓ ସାଉଦି ଆରବ ପ୍ରାୟତଃ ବିଶ୍ୱକପ୍ ପାଇଁ ଯୋଗ୍ୟତାହାସଲ କରିଆସୁଛନ୍ତି । ବିଶ୍ୱକପ ଫୁଟବଲରେ ଅଂଶ ଗ୍ରହଣ କରିଥିବା ପ୍ରଥମ ଏସୀୟ ଦେଶ ହେଉଛି ତତ୍କାଳୀନ ଡଚ୍ ଇଷ୍ଟଇଣ୍ଡିଜ୍ ବା ଆଜିର ଇଣ୍ଡୋନେସିଆ । ୧୯୩୮ରେ ଆୟୋଜିତ ଦ୍ୱିତୀୟ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଥିଲା ଡଚ୍ ଇଷ୍ଟଇଣ୍ଡିଜ୍ । କୌଣସି ଏକ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହଂଚିବାରେ ଏସିଆର ପ୍ରଥମ ଦେଶ ହେଉଛି ଉତ୍ତର କୋରିଆ । ୧୯୬୬ ମସିହା ଇଂଲଣ୍ଡ ବିଶ୍ୱକପରେ ଉତ୍ତର କୋରିଆ ଶକ୍ତିଶାଳୀ ଇଟାଲୀକୁ ହରାଇ କ୍ୱାର୍ଟରରେ ପହଂଚିଥିଲା । ୪୪ ବର୍ଷ ପରେ ଉତ୍ତର କୋରିଆର ପଡୋଶୀ ଦକ୍ଷିଣ କୋରିଆ ଆଉ ପାଦେ ଆଗେଇ ସେମିଫାଇନାଲରେ ପହଂଚିଥିଲା । ୨୦୦୨ରେ ଜାପାନ ସହ ମିଳିତ ଭାବେ ବିଶ୍ୱକପ ଫୁଟବଲ ଆୟୋଜିତ କରିଥିବା ଦକ୍ଷିଣ କୋରିଆ ସେହି ସଂସ୍କରଣର ସେମିଫାଇନାଲକୁ ଉନ୍ନୀତ ହୋଇଥିଲା, ଯାହା କି ଏଯାବତ କୌଣସି ଏସୀୟ ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇରହିଛି ।

FIFA’s Former President and Father of World Cup Football Jules Rimet

କିଛି ଆଫ୍ରିକୀୟ ଟିମର ବିଶ୍ୱକପ ପ୍ରଦର୍ଶନ ଉନ୍ନତମାନର ରହିଥିଲେ ମଧ୍ୟ ମହାଦେଶର କୌଣସି ଦଳ ଆଜି ଯାଏଁ ବିଶ୍ୱକପ ସେମିଫାଇନାଲ ଖେଳିନାହାନ୍ତି । ୧୯୯୦ ବିଶ୍ୱକପରେ ପ୍ରଥମ ଆଫ୍ରିକୀୟ ଟିମ ଭାବେ କାମେରୁନ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା । ୨୦୦୨ରେ ସେନେଗାଲ ଓ ୨୦୧୦ରେ ଘାନା ମଧ୍ୟ କ୍ୱାର୍ଟର ଫାଇନାଲରେ ପହଂଚିଥିଲେ । ୨୦୦୦ ମସିହା ପୂର୍ବରୁ ଏକ ଆଫ୍ରିକୀୟ ଦେଶ ବିଶ୍ୱକପ ଫୁଟବଲ ଚାମ୍ପିଅନ ହେବ ବୋଲି ଫୁଟବଲ କିମ୍ବଦନ୍ତୀ ପେଲେ ଦିନେ ଭବିଷ୍ୟବାଣୀ କରିଥିଲେ । କିନ୍ତୁ ପେଲେଙ୍କ ଇଛା ପୂରଣ ହୋଇପାରିଲା ନାହିଁ ।

2018 Champions France

ଏହା ସତ ଯେ, ବିଶ୍ୱକପରେ ମାତ୍ର ଅଳ୍ପ କିଛି ଦେଶର ପ୍ରାଧାନ୍ୟ ରହିଆସିଛି । କିନ୍ତୁ ବିଶ୍ୱକପରେ ‘ସୁନ୍ଦର ଖେଳ’ର ରୋମାଂଚ ଜମା କମ ହୋଇନାହିଁ । ହୁଏତ କାତାରରେ ଏକ ନୂଆ ଦେଶ ବିଶ୍ୱ ଚାମ୍ପିଅନ ହୋଇପାରେ ।

ଲେଖକ : ବିଜନ କୁମାର ମହାପାତ୍ର, ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮,  ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।

Comments are closed.