ଲେଖକ : ବିଜନ କୁମାର ମହାପାତ୍ର
ବ୍ରାଜିଲ୍ ବିଶ୍ୱ ଫୁଟବଲର ଏକ ପ୍ରମାଣିତ ମହାଶକ୍ତି ।
୧୮୯୪ ମସିହାରେ ବ୍ରିଟିଶମାନଙ୍କ ଦ୍ୱାରା ବ୍ରାଜିଲ୍ରେ ଫୁଟବଲ୍ ଖେଳ ଆରମ୍ଭ ହୋଇଥିଲା । କିନ୍ତୁ କେହି ବି କଳ୍ପନା କରି ନଥିବେ ଯେ, ଦିନେ ଫୁଟବଲ ଖେଳ ବ୍ରାଜିଲୀୟମାନଙ୍କ ଦ୍ବାରା ସମୃଦ୍ଧ ଓ ପରିପୁଷ୍ଟ ହେବ। କହିବା ବାହୁଲ୍ୟ ଯେ, ଫୁଟବଲ ବ୍ରାଜିଲବାସୀଙ୍କ ପାଇଁ କେବଳ ଏକ ଖେଳ ନୁହେଁ, ଏହା ଏକ ଜୀବନଧାରା, ଏକ ଧର୍ମ। ବ୍ରାଜିଲର ଅନ୍ୟତମ ଜାତୀୟ ପରିଚୟ ହେଉଛି ଫୁଟବଲ। ଏହି ଲାଟିନ ଆମେରିକୀୟ ଦେଶରେ ପ୍ରଥମ ସ୍ବୀକୃତିପ୍ରାପ୍ତ ଫୁଟବଲ୍ ମ୍ୟାଚର ୫୬ ବର୍ଷ ପରେ ଆୟୋଜିତ ହୋଇଥିଲା ବିଶ୍ୱକପ୍ । ୧୯୫୦ ମସିହାରେ ଫୁଟବଲ ବିଶ୍ୱକପର ଚତୁର୍ଥ ସଂସ୍କରଣର ଆୟୋଜନ ବ୍ରାଜିଲରେ ହୋଇଥିଲା। ଦ୍ୱିତୀୟ ବିଶ୍ବଯୁଦ୍ଧ ଯୋଗୁଁ ୧୯୪୨ ଓ ୧୯୪୬ରେ ବିଶ୍ବକପ୍ ଆୟୋଜିତ ହୋଇ ପାରି ନ ଥିଲା। ତେଣୁ ୧୨ ବର୍ଷ ବ୍ୟବଧାନରେ ପୁଣି ଥରେ ଫୁଟବଲର ମର୍ଯ୍ୟାଦାଜନକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଥିଲା ଏକ ବଡ ଆହ୍ବାନ। ଆଉ ଏହି ଆହ୍ଵାନର ସଫଳତାର ସହ ସମ୍ମୁଖୀନ ହୋଇଥିଲା ବ୍ରାଜିଲ୍। ବିଶ୍ବକପ ଆୟୋଜନ କରି ନିଜର ଫୁଟବଲ ପରାକାଷ୍ଠା ଦେଖାଇବାକୁ ଚାହୁଁଥିଲା ବ୍ରାଜିଲ । ନିଜର ଜାତୀୟ ଦଳ ଉପରେ ବ୍ରାଜିଲୀୟଙ୍କ ଥିଲା ଅଗାଧ ଭରସା । ପ୍ରାୟ ସମସ୍ତେ ଧରି ନେଇଥିଲେ ଯେ, ତାଙ୍କ ଦେଶ ହିଁ ହେବ ଫୁଟବଲର ନୂଆ ଚାମ୍ପିଅନ।
ବ୍ରାଜିଲୀୟ ଫୁଟବଲପ୍ରେମୀଙ୍କ
ଆତ୍ମବିଶ୍ବାସ ଏପରି ଅଧିକ ଥିଲା ଯେ, ଟୁର୍ଣ୍ଣାମେଣ୍ଟରେ ଘରୋଇ ଦଳର ମ୍ୟାଚ ପୂର୍ବରୁ ହିଁ ଆରମ୍ଭ କରୁଥିଲା ଯେ, ତାଙ୍କ ଦଳର ହିଁ ଏଥର ଚାମ୍ପିଅନ ହେବ। ୧୯୫୦ ବିଶ୍ୱକପରେ ଘରୋଇ ଦର୍ଶକଙ୍କ ଆଗରେ ବ୍ରାଜିଲ ଦଳର ପ୍ରଦର୍ଶନ ଥିଲା ଉଚ୍ଚକୋଟୀର। ଟାଇଟଲ ମୁକାବିଲା ପୂର୍ବରୁ ଖେଳିଥିବା ଦୁଇଟି ମ୍ୟାଚରେ ବିଶାଳ ବ୍ୟବଧାନରେ ବିଜୟୀ ହୋଇଥିଲା ବ୍ରାଜିଲ। ବାସ୍ , ଟାଇଟଲ୍ ପାଇଁ ଶେଷ ପ୍ରତିବନ୍ଧକ ଥିଲା ଉରୁଗୁଏ, ବ୍ରାଜିଲ୍ର କ୍ଷୁଦ୍ର ପଡୋଶୀ ରାଷ୍ଟ୍ର, ଯାହାର ଫୁଟବଲ୍ ଦଳ ଦୁଇ ଦୁଇ ଥର ଅଲିମ୍ପିକ ସ୍ଵର୍ଣ୍ଣ ( ୧୯୨୪ ଓ ୧୯୨୮ ) ଜିତିବା ସହ ନିଜମାଟିରେ ଖେଳାଯାଇଥିବା ବିଶ୍ବକପର ଉଦ୍ଘାଟନୀ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । କିନ୍ତୁ ନିଜର ଜାତୀୟ ଦଳର ସାମର୍ଥ୍ୟ ନେଇ ବ୍ରାଜିଲ ଫୁଟବଲ୍ମୀଙ୍କ ଏମିତି ଆତ୍ମବିଶ୍ବାସ ଥିଲା ଯେ, ସେମାନେ ଉରୁଗୁଏର ଫୁଟବଲ୍ ରେକର୍ଡକୁ ଆଦୌ ଗୁରୁତ୍ବ ଦେଇ ନ ଥିଲେ। ଫାଇନାଲରେ ବ୍ରାଜିଲ ପାଇଁ ଉରୁଗୁଏ ଏକ ଦୁର୍ବଳ ଦଳ ସାବ୍ୟସ୍ତ ହେବ ବୋଲି ପୂର୍ବାନୁମାନ କରିଥିଲେ ବ୍ରାଜିଲବାସୀ। ତେଣୁ ଫାଇନାଲ ମ୍ୟାଚରେ ବ୍ରାଜିଲର ବିଜୟ ନିଶ୍ଚିତ ବୋଲି ଭାବି ଆଗୁଆ ବିଜୟ ଉତ୍ସବ ପାଳିବା ଆରମ୍ଭ କରିଦେଇଥିଲେ ।
ଜୁଲାଇ ୧୬, ୧୯୫୦। ବ୍ରାଜିଲ ଓ ଉରୁଗୁଏ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇଥିଲା ରିଓ ଡି’ ଜେନିରୋ ସ୍ଥିତ ବିଶାଳ ମାରାକାନା ଷ୍ଟାଡିୟମ । ସେତେବେଳେ ମାରାକାନା ଥିଲା ବିଶ୍ୱର ବୃହତ ଷ୍ଟାଡିୟମ । କୁହାଯାଏ ଯେ, ଫାଇନାଲ ମ୍ୟାଚ ଦିନ ଷ୍ଟାଡିୟମରେ ପ୍ରାୟ ଦୁଇ ଲକ୍ଷ ଦର୍ଶକ ଉପସ୍ଥିତ ଥିଲେ । ସାରା ଦେଶରେ ଥିଲା ଉତ୍ସବର ବାତାବରଣ। ଏପରିକି ରିଓ ଡି ଜେନିରୋର କିଛି ଖବରକାଗଜ ମଧ୍ୟ ବ୍ରାଜିଲ୍ ଚାମ୍ପିଅନ ହେବା ନେଇ ଶତ ପ୍ରତିଶତ ଆଶାବାଦୀ ଥିଲେ । ଏଭଳି ଅଭୁତପୂର୍ବ ପରିସ୍ଥିତି ମଧ୍ୟରେ ବିଶ୍ବ ଫୁଟବଲ୍ ମହାସଂଘ- ଫିଫାର ତତ୍କାଳୀନ ସଭାପତି ଜୁଲସ୍ ରିମେଟ୍ ମଧ୍ୟ ବ୍ରାଜିଲ ଚାମ୍ପିଅନ ହେବ ବୋଲି ବିଶ୍ବାସ କରିନେଇ ଦଳ ପାଇଁ ଆଗୁଆ ଶୁଭେଚ୍ଛା ବାର୍ତ୍ତାଟିଏ ପ୍ରସ୍ତୁତ କରି ରଖିଥିଲେ ।
ଅପରାହ୍ନ ୩ଟା ବେଳେ ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଫାଇନାଲ୍ ମ୍ୟାଚ୍। ପ୍ରାୟ ଦୁଇ ଲକ୍ଷ ଦର୍ଶକଙ୍କ ମଧ୍ୟରେ ଉରୁଗୁଏର କିଛି ପ୍ରଶଂସକ ବି ଥିଲେ ମାରାକାନା ଷ୍ଟାଡିୟମ୍ରେ। ଟୁର୍ଣ୍ଣାମେଣ୍ଟ ନିୟମ ଅନୁସାରେ ଘରୋଇ ଦଳ ଚାମ୍ପିଅନ ହେବା ପାଇଁ ଏକ ଡ୍ର ଆବଶ୍ୟକ କରୁଥିଲା । ଫାଇନାଲ୍ ମ୍ୟାଚ୍ର ପ୍ରଥମାର୍ଦ୍ଧ ରହିଥିଲା ଗୋଲ୍ ଶୂନ୍ୟ। ମ୍ୟାଚ୍ର ୪୭ ତମ ମିନିଟ୍ରେ ବ୍ରାଜିଲର ଫ୍ରାଇକା ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଝୁମି ଉଠିଥିଲେ ମାରାକାନାରେ ଥିବା ଲକ୍ଷାଧିକ ବ୍ରାଜିଲୀୟ ସମର୍ଥକ । ତେବେ, ଉରୁଗୁଏର ଜୁଆନ୍ ସ୍କିଫିନୋ ଗୋଲ୍ ସ୍କୋର କରି ମ୍ୟାଚ୍କୁ ସମାନ ସ୍ଥିତିକୁ ନେଇ ଆସିଥିଲେ। ତଥାପି ନିରାଶ କି ବ୍ୟସ୍ତ ବିବ୍ରତ ହୋଇ ନ ଥିଲେ ବ୍ରାଜିଲବାସୀ । କାରଣ ମ୍ୟାଚ୍ ଡ୍ର ରଖିଲେ ବି ବ୍ରାଜିଲ୍ ହେବ ବିଶ୍ଵ ଚାମ୍ପିଅନ। ଏଭଳି ଏକ ସମ୍ଭାବ୍ୟ ଫଳାଫଳ ବିଷୟରେ ଚିନ୍ତା କରୁଥିବା ବେଳେ ୭୯ତମ ମିନିଟ୍ରେ ଉରୁଗୁଏର ଅସାଇ ଘିଜିଆ, ଦଳ ପକ୍ଷରୁ ଦ୍ବିତୀୟ ଗୋଲ୍ ସ୍କୋର୍ କରିଥିଲେ। ସ୍ତବ୍ଧ ହୋଇଯାଇଥିଲା ସାରା ମାରାକାନା ଷ୍ଟାଡିୟମ୍। ରେଫରିଙ୍କ ଶେଷ ହ୍ବିସଲ୍ ବେଳକୁ ସ୍କୋର ଲାଇନ୍ ଥିଲା ବ୍ରାଜିଲ ୧, ଉରୁଗୁଏ ୨ । ମାରାକାନା ଷ୍ଟାଡିୟମକୁ ନୀରବତା ଗ୍ରାସ କରିଥିଲା । ଭାଙ୍ଗି ପଡିଥିଲେ ବ୍ରାଜିଲ ବାସୀ । ଦ୍ବିତୀୟ ଥର ପାଇଁ ବିଶ୍ଵ ଚାମ୍ପିଅନ୍ ହୋଇଥିଲା ଉରୁଗୁଏ। ଏଭଳି ଫଳାଫଳକୁ ସହଜରେ ହଜମ କରି ପାରି ନଥିଲେ ବ୍ରାଜିଲର ଫୁଟବଲ୍ ପ୍ରେମୀ। ମାରାକାନା ଷ୍ଟାଡିୟମରେ ଚୁରମାର ହୋଇଯାଇଥିଲା ଲକ୍ଷ ଲକ୍ଷ ବ୍ରାଜିଲ ବାସୀଙ୍କ ସ୍ୱପ୍ନ।
ଫାଇନାଲ୍ରେ ଜାତୀୟ ଦଳର ପରାଜୟ ପରେ ସାରା ବ୍ରାଜିଲ୍ ଯେମିତି ଶୋକରେ ବୁଡିଯାଇଥିଲା। ଏଭଳି ପରିସ୍ଥିତିରେ ଚାମ୍ପିଅନ ଉରୁଗୁଏ ଦଳର ଖେଳାଳିମାନେ ବି ବେଶ୍ ଅଶ୍ବସ୍ତିକର ମନେ କରୁଥିଲେ। କେହି ଉରୁଗୁଏର ଖେଳକୁ ପ୍ରଶଂସା କଲେ ନାହିଁ । ଏକ ସାଧାରଣ ସମାରୋହରେ ଉରୁଗୁଏକୁ ପ୍ରଦାନ କରାଯାଇଥିଲା ଟ୍ରଫି । ଫାଇନାଲରେ ଜାତୀୟ ଦଳର ପରାଜୟକୁ ହଜମ କରିନପାରି ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିଲେ । ଅନ୍ୟ ତିନି ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଫାଇନାଲ୍ ମ୍ୟାଚ୍ ଶେଷ ହେଲା ପରେ ବ୍ରାଜିଲ୍ କୋଚ୍ ଫ୍ଲାଭିଓ କୋଷ୍ଟା ନନୀ ବେଶ ଧରି ଷ୍ଟାଡିୟମ ବାହାରକୁ ଯିବାରେ ସଫଳ ହୋଇଥିଲେ ।
ବିଶାଳ ମାରାକାନା ଷ୍ଟାଡିୟମରେ ୧୯୫୦ ବିଶ୍ବକପ୍ ଫାଇନାଲ୍ରେ ଜାତୀୟ ଦଳର ଅପ୍ରତ୍ୟାଶିତ ପରାଜୟ ବ୍ରାଜିଲୀୟ ଫୁଟବଲ୍ ଇତିହାସରେ ’ମାରାକାନା ଟ୍ରାଜେଡି’ (ମାରାକାନାଜୋ) ଭାବେ ପରିଚିତ। ମାରାକାନାରେ ବ୍ରାଜିଲ ଜାତୀୟ ଦଳର ପରାଜୟ ପରେ ସୃଷ୍ଟି ହୋଇଥିଲା ଅଭୁତପୂର୍ବ ପ୍ରତିକ୍ରିୟା ଓ ଆସିଥିଲା ଅନେକ ପରିବର୍ତ୍ତନ। ଫାଇନାଲ୍ରେ ଉରୁଗୁଏ ପକ୍ଷରୁ ସ୍କୋର କରାଯାଇଥିବା ଦ୍ବିତୀୟ ଗୋଲ୍କୁ ଅଟକାଇ ପାରି ନ ଥିବାରୁ ବ୍ରାଜିଲ୍ ଗୋଲ୍ କିପର ବାର୍ବୋସାଙ୍କୁ ଖଳନାୟକ ଭାବେ ଦେଖାଗଲା । ପ୍ରବଳ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ ବାର୍ବୋସା । ସେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଅଛୁଆଁ ଓ ଅସ୍ପୃଶ୍ୟ ଭାବେ ଜୀବନ କଟାଇଥିଲେ ବାର୍ବୋସା। ମାରାକାନା ଷ୍ଟାଡିୟମ୍କୁ ଜାତୀୟ ଦଳ ପାଇଁ ଅଶୁଭ ମନେକରାଗଲା । ସେଠାରେ କିଛି ବର୍ଷ ଧରି କୌଣସି ମ୍ୟାଚ୍ ଖେଳି ନ ଥିଲା ବ୍ରାଜିଲ୍ । ଏଥିସହ ଦୁଇ ବର୍ଷ ଧରି କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନ ଥିଲା ବ୍ରାଜିଲ୍। ମାରାକାନା ବିପର୍ଯ୍ୟୟ ପରେ ବ୍ରାଜିଲ ଫୁଟବଲ୍ ଜର୍ସିରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଧଳା ପରିବର୍ତ୍ତେ ହଳଦିଆ ଓ ସବୁଜ ରଂଗକୁ ଟିମ୍ ଜର୍ସି ଭାବେ ବ୍ୟବହାର କରାଗଲା। ମାରାକାନା ଟ୍ରାଜେଡିର ୮ ବର୍ଷ ପରେ ୧୯୫୮ ମସିହାରୁ ଆରମ୍ଭ ହୋଇଥିଲା ବ୍ରାଜିଲ ଫୁଟବଲ୍ ନବଜାଗରଣ। ସେହି ବର୍ଷର ବିଶ୍ବକପ୍ରେ ଚାମ୍ପିଅନ ହୋଇଥିଲା ଦଳ । ତା ପରେ ୧୯୬୨, ୧୯୭୦, ୧୯୯୪ ଓ ୨୦୦୨ରେ ବି ବିଶ୍ଵ ଚାମ୍ପିଅନ ହୋଇଥିଲା ବ୍ରାଜିଲ୍। ଏସବୁ ସଫଳତା ସତ୍ତ୍ବେ ୧୯୫୦ ମସିହାର ମାରାକାନା ବିପର୍ଯ୍ୟୟ ବ୍ରାଜିଲ ଫୁଟବଲ ଇତିହାସରେ ଏକ ଅଭୁଲା ଅଧ୍ୟାୟ ହୋଇ ରହିଛି।
ଲେଖକ : ବିଜନ କୁମାର ମହାପାତ୍ର, ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭
ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।
Comments are closed.