ବିଜେପି ସାଂସଦ ବ୍ରଜ ଭୂଷଣଙ୍କ ବିରୋଧରେ ପୁଣି କୁସ୍ତିଯୋଦ୍ଧାଙ୍କ ବିକ୍ଷୋଭ, ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟଙ୍କ ସମେତ ଦେଶର ଅଗ୍ରଣୀ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ତଥା ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ପୁଣି ଜନ୍ତର ମନ୍ତରରେ ବିକ୍ଷୋଭ ଆରମ୍ଭ କରିଛନ୍ତି । ସେମାନେ ବ୍ରଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରୁଥିବା ମନିଟରିଂ କମିଟିର ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି |

କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ବିରୋଧରେ ଏତଲା ମଧ୍ୟ ଦେଇଥିବା ଜଣାପଡ଼ିଛି । କୁସ୍ତି ସଂଘ ଭଙ୍ଗ କରିବାକୁ ଦାବି କରି ଏହି କୁସ୍ତିଯୋଦ୍ଧାମାନେ ପ୍ରଥମେ ଚଳିତ ବର୍ଷ ଜାନୁଆରୀରେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ତାଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଆଣିଥିବା ଅଭିଯୋଗକୁ ବ୍ରଜ ଭୂଷଣ ଶରଣ ସିଂହ ଖଣ୍ଡନ କରିଥିଲେ।

ଭେଟେରାନ ବକ୍ସର ଏମସି ମେରିକମଙ୍କ ନେତୃତ୍ୱରେ ୬ ଜଣିଆ ମନିଟରିଂ କମିଟି ଏପ୍ରିଲ୍ ପ୍ରଥମ ସପ୍ତାହରେ ଏହାର ରିପୋର୍ଟ ଦାଖଲ କରିଥିଲା । କିନ୍ତୁ ସରକାର ଏପର୍ଯ୍ୟନ୍ତ ଏହାକୁ ସାର୍ବଜନୀନ କରିନାହାଁନ୍ତି।
ବିଶ୍ୱ ଚାମ୍ପିୟନଶିପ ପଦକ ବିଜେତା ବିନେଶ କହିଛନ୍ତି, “(ସରକାର) କମିଟି ଏହାର ରିପୋର୍ଟ ଦାଖଲ କରିବାକୁ ଆଉ କେତେ ସମୟ ନେବ? ତିନି ମାସ ହେଇଗଲଣି । ସେମାନେ କେଉଁ ନିଷ୍କର୍ଷରେ ପହଞ୍ଚିଛନ୍ତି ଆମେ ତାହା ସେମାନଙ୍କ ଠାରୁ ଶୁଣିବାକୁ ଅପେକ୍ଷା କରିଛୁ | ଅଭିଯୋଗ ଆଣିଥିବା ଝିଅମାନେ ମରିବା ପରେ ରିପୋର୍ଟ ସାର୍ବଜନୀନ ହେବ ?

“ସରକାର ଏହି ମାମଲାରେ ଏକ ନିଷ୍କର୍ଷରେ ପହଞ୍ଚିବେ ବୋଲି ଅପେକ୍ଷା କରି ଆମେ ଥକି ଯାଇଛୁ। ଆମେ କନୌଟ୍ ପ୍ଲେସ ଥାନାରେ ଅଭିଯୋଗ ଦାଖଲ କରିଛୁ ଓ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଏତଲା ରୁଜୁ କରିବା ଚାହୁଁଛୁ ବୋଲି ସେ କହିଛନ୍ତି।

“ନିର୍ବାଚନ ପ୍ରକ୍ରିୟା ସହିତ ଆମର (ଡବ୍ଲୁଏଫ୍ଆଇ) କୌଣସି ସମ୍ପର୍କ ନାହିଁ। ଆମେ ଆମର କ୍ୟାରିୟର ନେଇ ଅଧିକ ଚିନ୍ତିତ | (ପ୍ୟାରିସ୍) ଅଲିମ୍ପିକ୍ସ ପାଖେଇ ଆସୁଛି ଏବଂ ଆମେ ସଠିକ୍ ଦିଗରେ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛୁ। ”

ଡବ୍ଲୁଏଫ୍ଆଇ ସଭାପତି ଭାବରେ ୧୩ ବର୍ଷ ପୂରଣ କରିଥିବା ସିଂହ ସ୍ପଷ୍ଟ କରିଛନ୍ତି ଯେ ସେ ଆସନ୍ତା ୭ରେ ହେବାକୁ ଥିବା ଡବ୍ଲୁଏଫ୍ଆଇ ନିର୍ବାଚନରେ ଶୀର୍ଷ ପଦ ପାଇଁ ଲଢିବେ ନାହିଁ। ସେ କିନ୍ତୁ ସଙ୍କେତ ଦେଇଛନ୍ତି ଯେ ସେ ଡବ୍ଲୁଏଫ୍ଆଇରେ ନିଜ ପାଇଁ ଏକ ଭୂମିକା ଖୋଜିବେ।

ବିନେଶ କହିଛନ୍ତି, “ଏଭଳି ଗମ୍ଭୀର ଅଭିଯୋଗ ସତ୍ତ୍ୱେ ଫେଡେରେସନ୍ କିଏ ଚଲାଉଛି ତାହା ଆପଣ ଦେଖିପାରୁଛନ୍ତି | ଆମ ପାଖରେ କେବଳ ସତ୍ୟର ଶକ୍ତି ଅଛି, ଯାହା ମୁଁ ଭାବୁଛି ଯଥେଷ୍ଟ ନୁହେଁ | ଅନ୍ତତଃ ପକ୍ଷେ ସରକାର ଯୌନ ନିର୍ଯାତନା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରିଥାନ୍ତେ। ଆମେ ନ୍ୟାୟ ଦାବି କରୁଛୁ। ଆମେ ବିରୋଧ ଜାରି ରଖିବୁ। ”

ଦେଶର ଟପ୍ ରେସଲରଙ୍କ ଅଭିଯୋଗର ତିନି ମାସ ସମୟ ମଧ୍ୟରେ ସିଂହ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଏବଂ ସରକାରଙ୍କ ଯାଞ୍ଚ ପ୍ୟାନେଲ ସମ୍ମୁଖରେ ହାଜର ହୋଇଥିଲେ।

ଅନେକ ସୂତ୍ରରୁ ପ୍ରକାଶ ଯେ କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ପ୍ରମାଣିତ କରିପାରିନଥିଲେ ।
ରିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ କହିଛନ୍ତି, “ଆମେ ଜନ୍ତର ମନ୍ତରରୁ ହଟିବୁ ନାହିଁ। ଏହି ଲଢେଇ ବନ୍ଦ ହେବ ନାହିଁ।”

“ମହିଳା ରେସଲର କମିଟି ନିକଟରେ ହାଜର ହୋଇଛନ୍ତି, କିନ୍ତୁ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ଫେଡେରେସନ୍ ପୂର୍ବ ପରି ଚାଲୁଛି, ଏହା ଜାତୀୟ ଟୁର୍ନାମେଣ୍ଟ ପରିଚାଳନା କରୁଛି | ତେବେ କ’ଣ ଆଉ ବଦଳିଛି?

ବିକ୍ଷୋଭ କରୁଥିବା ମହିଳା କୁସ୍ତିଯୋଦ୍ଧାଙ୍କ ସହ ଛିଡ଼ା ହେବା ଆମର ନୈତିକ କର୍ତ୍ତବ୍ୟ ବୋଲି ବଜରଙ୍ଗ ପୁନିଆ କହିଛନ୍ତି।ଟୋକିଓ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା କହିଛନ୍ତି ଯେ ଯଦି ଆମେ ସେମାନଙ୍କ ସହ ଠିଆ ନହେବା ତେବେ ଆଉ କିଏ ହେବ? ସେ କହିଛନ୍ତି, ସେମାନଙ୍କ ପାଇଁ ଯଦି ଜୀବନ ଦେବାକୁ ହୁଏ ତେବେ ବି ମୁଁ ପ୍ରସ୍ତୁତ ଅଛି।

Comments are closed.