ଉଦାହରଣ ସୃଷ୍ଟି କଲେ କେଜିଏଫ୍-୨ ଷ୍ଟାର୍ ୟଶ୍, ପାନ ମସଲା ବ୍ରାଣ୍ଡର ଲୋଭନୀୟ ବିଜ୍ଞାପନ ଅଫରକୁ ପ୍ରତ୍ୟାଖ୍ୟାନ କଲେ

ନୂଆଦିଲ୍ଲୀ: ସମ୍ପ୍ରତି ବଲିଉଡର ତିନି ବଡ଼ ଅଭିନେତା ଏକ ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବା ନେଇ ବିବାଦ ସୃଷ୍ଟି ହୋଇଛି | ଏଭଳି ବିଜ୍ଞାପନ ପାଇଁ ସେମାନେ ସମାଲୋଚନାର ଶିକାର ହୋଇଛନ୍ତି । ଜବରଦସ୍ତ ଟ୍ରୋଲ୍ ହେବା ପରେ ଅକ୍ଷୟ କୁମାର କ୍ଷମା ମାଗିଥିଲେ ଏବଂ ସେହି ପାନ ମସଲା ବ୍ରାଣ୍ଡର ଆମ୍ବାସାଡର ଭାବେ ଓହରିବାକୁ ନିଷ୍ପତ୍ତି ନେଇଥିଲେ | ଏବେ ଖବର ଆସିଛି ଯେ ଏକ ପାନ ମସାଲା ବ୍ରାଣ୍ଡ୍ କେଜିଏଫ୍-୨ ଷ୍ଟାର୍ ୟଶଙ୍କୁ ଏକ ଲୋଭନୀୟ ବିଜ୍ଞାପନ ଅଫର୍ ଦେଇଛି | କିନ୍ତୁ ଏହି କନ୍ନଡ ଅଭିନେତା ଏହି ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଏକ ପାନ ମସାଲା ବ୍ରାଣ୍ଡ ୟଶଙ୍କୁ ବହୁକୋଟି ଟଙ୍କାର ଏକ‌ ବିଜ୍ଞାପନ ଅଫର ଦେଇଥିଲା। କିନ୍ତୁ KGF 2 ଷ୍ଟାର୍ ବିଳମ୍ବ ନକରି ତୁରନ୍ତ ଏହି ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଥିଲେ | ୟଶଙ୍କ ଏଣ୍ଡୋର୍ସମେଣ୍ଟ ଡିଲ୍ ପରିଚାଳନା କରୁଥିବା କମ୍ପାନୀ ଏକ୍ସସାଇଜ୍ ଏଣ୍ଟରଟେନମେଣ୍ଟ ଏହି ଖବରକୁ ସ୍ପଷ୍ଟ କରିଛି | ଏହାର ମୁଖ୍ୟ ଅର୍ଜୁନ ବାନାର୍ଜୀ ଏକ ପ୍ରେସ ବିବୃତ୍ତି ଜାରି କରି କହିଛନ୍ତି – ପାନ ମସାଲା ଏବଂ ଏହିପରି ଦ୍ରବ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏଗୁଡ଼ିକ ଘାତକ ସାବ୍ୟସ୍ତ ହୋଇପାରେ | ବାସ୍ତବରେ, ଏହା ୟଶଙ୍କ ଦ୍ୱାରା ନିଆଯାଇଥିବା ଏକ ସାହସିକ ନିଷ୍ପତ୍ତି, ଯିଏ ନିଜ ପ୍ରଶଂସକ ଏବଂ ଫଲୋୟର ମାନଙ୍କ ସ୍ୱାର୍ଥରେ ଏକ ଲୋଭନୀୟ ଡିଲ୍ ଗ୍ରହଣ କରିବାକୁ ମନା କରିଛନ୍ତି |

ପାନ ମସଲା ବ୍ରାଣ୍ଡ୍ ବିଜ୍ଞାପନ ଅଫର୍ ମନା‌ କରିଥିବାରୁ ୟଶଙ୍କୁ ପ୍ରଶଂସକମାନେ ପ୍ରଶଂସା କରିଛନ୍ତି । ଏପରି ନିଷ୍ପତ୍ତି ସହ ୟଶ୍ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେମାନେ କହିଛନ୍ତି ।

ଏହାପୂର୍ବରୁ ‘ପୁଷ୍ପା’ ଷ୍ଟାର୍ ଅଲୁ ଅର୍ଜୁନ ମଧ୍ୟ ତମାଖୁ ବ୍ରାଣ୍ଡ ସହ ଯୋଡି ହେବାକୁ ମନା କରିଦେଇଥିଲେ। ଏହି ଏଣ୍ଡର୍ସମେଣ୍ଟ ପାଇଁ ଅଲୁ ଅର୍ଜୁନଙ୍କୁ ମଧ୍ୟ ଏକ ମୋଟା ଫି ପ୍ରଦାନ କରାଯାଇଥିଲା | କିନ୍ତୁ ଏହି ବିଜ୍ଞାପନ କରି ପ୍ରଶଂସକଙ୍କୁ ଭୁଲ ବାର୍ତ୍ତା ଦେବାକୁ ଚାହୁଁଥିନଲେ ଅଲୁ ଅର୍ଜୁନ । ଗୋଟିଏ ପଟେ ବଲିଉଡର ବଡ଼ ଷ୍ଟାରମାନେ ତମାଖୁ ବ୍ରାଣ୍ଡ ସହ ଯୋଡ଼ି ହେଉଥିବା ବେଳେ ସାଉଥ୍ ଅଭିନେତା ଏଭଳି ବିଜ୍ଞାପନରୁ ଦୂରେଇ ରହି ଲୋକଙ୍କୁ ପ୍ରଭାବିତ କରିଛନ୍ତି |

Comments are closed.