ପୁଣି ବିବାଦରେ ଜୋମାଟୋ, ହିନ୍ଦୀ ଜାଣିନଥିବାରୁ ଗ୍ରାହକଙ୍କ ସହ ଯୁକ୍ତିତର୍କ; କ୍ଷମା ମାଗିଲା କମ୍ପାନୀ

ଚେନ୍ନାଇ: ଫୁଡ୍ ଡେଲିଭେରୀ କମ୍ପାନୀ ଜୋମାଟୋ ପୁଣି ଥରେ ବିବାଦ ଘେରକୁ ଆସିଛି । ଏଥର କମ୍ପାନୀର ଜଣେ କର୍ମଚାରୀ ତାମିଲନାଡ଼ୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଭାଷା ଶିଖିବାକୁ ପରାମର୍ଶ ଦେଇ ଫସିଛନ୍ତି ।

ଚେନ୍ନାଇର ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଜଣେ କର୍ମଚାରୀ ତାଙ୍କ ସହିତ ହିନ୍ଦୀ ଭାଷାକୁ ନେଇ ଯୁକ୍ତିତର୍କ କରିଥିଲେ। ଗ୍ରାହକ ଏହି ହ୍ଵାଟସଆପ୍ ଚାଟ୍ ର ସ୍କ୍ରିନସଟ୍ ଟ୍ୱିଟରରେ ସେୟାର କରିଛନ୍ତି | ଯାହା ପରେ ଜୋମାଟୋ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛି। ଜମାଟୋ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦିଆଯାଇଥିଲା, କିନ୍ତୁ ପରେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିବା ଜଣାପଡ଼ିଛି ।

ବିକାଶ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଜମାଟୋ କର୍ମଚାରୀଙ୍କ ସହ ହୋଇଥିବା ବାର୍ତ୍ତାଳାପର ସ୍କ୍ରିନସଟ ଟ୍ୱିଟ୍ କରିଛନ୍ତି। ବିକାଶ ତାଙ୍କ ଅର୍ଡର ପାଇବାରେ ବିଳମ୍ବ ହେବାରୁ ସେ ଜୋମାଟୋର ଜଣେ କର୍ମଚାରୀଙ୍କୁ ରେଷ୍ଟୁରାଣ୍ଟ ସହିତ ଯୋଗାଯୋଗ କରିବାକୁ କହିଥିଲେ। ଏନେଇ ଜମାଟୋ କର୍ମଚାରୀ ବିକାଶଙ୍କୁ କହିଥିଲେ ଯେ ସେ ପାଞ୍ଚ ଥର ରେଷ୍ଟୁରାଣ୍ଟକୁ କଲ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ “ଭାଷା ପ୍ରତିବନ୍ଧକ” ଯୋଗୁଁ ସେ ତାଙ୍କ ସହ ସଠିକ୍ ଭାବେ କଥାବାର୍ତ୍ତା କରିପାରିନଥିଲେ।

ବିକାଶ ଜୋମାଟୋର ଉକ୍ତ କର୍ମଚାରୀଙ୍କୁ କହିଥିଲେ ଯେ ଯଦି ଜମାଟୋ ତାମିଲନାଡୁରେ ସେବା ଯୋଗାଉଛି, ତେବେ ସ୍ଥାନୀୟ ଭାଷା ବୁଝିବା ପାଇଁ ତାମିଲ ଭାଷାଭାଷୀ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଉଚିତ। ଟଙ୍କା ଫେରସ୍ତ କରିବାକୁ ସେ ଜୋମାଟୋ କର୍ମଚାରୀଙ୍କୁ କହିଥିଲେ। ଏହାର ଉତ୍ତରରେ କର୍ମଚାରୀ ଜଣକ କହିଥିଲେ- “ଆପଣଙ୍କ ସୂଚନା ପାଇଁ ହିନ୍ଦୀ ହେଉଛି ଆମର ଜାତୀୟ ଭାଷା। ତେଣୁ ଆପଣ ସମସ୍ତେ ଟିକେ ହିନ୍ଦୀ ଜାଣିବା ଉଚିତ୍।”

ବିକାଶ ଉକ୍ତ କର୍ମଚାରୀଙ୍କ ସହ କଥାବାର୍ତ୍ତାର ସ୍କ୍ରିନସଟ୍ ଟ୍ବିଟରରେ ସେୟାର କରିବା ପରେ ସୋସିଆଲ ମିଡିଆରେ ଏହା ସଙ୍ଗେ ସଙ୍ଗେ ଭାଇରାଲ୍ ହୋଇଯାଇଥିଲା ଏବଂ ଜୋମାଟୋକୁ ବର୍ଜନ କରିବାକୁ ଦାବି ହୋଇଥିଲା ।

ସୋସିଆଲ ମିଡିଆରେ ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ଜୋମାଟୋ ନିଜେ ଟ୍ୱିଟ୍ କରି କ୍ଷମା ମାଗିଛି। ଜୋମାଟୋ ଏହାର ଟ୍ୱିଟରେ ଲେଖିଛି- “ଭନକ୍କମ୍ (ତାମିଲରେ ନମସ୍କାର) ବିକାଶ, ଆମର ଗ୍ରାହକ ସେବା ଏଜେଣ୍ଟଙ୍କ ଆଚରଣ ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଏହି ଘଟଣା ଉପରେ ଆମେ ଏକ ବିବୃତ୍ତି ଜାରି କରିଛୁ। ଆମେ ଆଶା କରୁଛୁ ଆପଣ ପରବର୍ତ୍ତୀ ସମୟରେ ଆପଣଙ୍କୁ ଭଲ ସେବା କରିବାର ସୁଯୋଗ ଦେବେ।”

କମ୍ପାନୀ ଜୋର୍ ଦେଇ କହିଛି ଯେ ଭାଷା ଏବଂ ବିବିଧତା ନେଇ କର୍ମଚାରୀଙ୍କ ମନ୍ତବ୍ୟ ଜୋମାଟର ନୀତିକୁ
ପ୍ରତିନିଧିତ୍ଵ କରୁନାହିଁ। ସମ୍ପ୍ରତି ଜୋମାଟୋ ଆପର ଏକ ତାମିଲ୍ ସଂସ୍କରଣ ମଧ୍ୟ ଚାଲୁ ଅଛି | କମ୍ପାନୀ ଏହି ଘଟଣାର ତଦନ୍ତ କରୁଛି।

Comments are closed.