ଏସବିଆଇର ବୈମାତୃୁକ ମନୋଭାବ ବିରୋଧରେ ମିଳିତ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ, ୫ ଦଫା ଦାବି ଉପସ୍ଥାପନ

ବ୍ରହ୍ମପୁର-ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ –ଏସବିଆଇର ବୈମାତୃକ ମନୋଭାବ ବିରୋଧରେ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀମାନେ ସ୍ୱର ଉତୋଳନ କରିଛନ୍ତି । ଏସବିଆଇ ବିରୋଧରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ ଆଣି ଦେଶବ୍ୟାପୀ ଧର୍ମଘଟ କରୁଛନ୍ତି ଗ୍ରାମୀଣ ବ୍ୟାଙ୍କର କର୍ମଚାରୀ । ସମସ୍ତ ପ୍ରାୟୋଜିତ ବ୍ୟାଙ୍କ ସରକାର ଓ ନାବାର୍ଡର ଗାଇଡଲାଇନସ ଅନୁସାରେ କାମ କରୁଥିବା ବେଳେ ଏସବିଆଇ କିନ୍ତୁ ସହୁ ନିୟମକୁ ଅଣଦେଖା କରୁଥିବା ଗ୍ରାମୀଣ ବ୍ୟାଙ୍କର କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷେ ହେଲା ୧୪ଟି ଗ୍ରାମୀଣ ବ୍ୟାଙ୍କର ସମସ୍ତ କର୍ମଚାରୀ ସଂଘ ଗୋଟିଏ ବ୍ୟାନର ତଳେ ଏକାଠି ହୋଇ ସଂଘର୍ଷ କରୁଛନ୍ତି । ଏସବିଆଇ ନିଜର କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ଏବଂ ସୁବିଧା ପ୍ରଦାନ ପାଇଁ ସରକାରଙ୍କ ନିର୍ଦ୍ଦେଶ ପାଳନ କରୁଥିବା ବେଳେ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି ଅନ୍ୟ ନିୟମ ଲଦିଦେଇଛି । ଏହା ସହ ଏସବିଆଇ ଦ୍ୱାରା ପ୍ରାୟୋଜିତ ବୀମା ( ଏସବିଆଇ ଲାଇଫ୍ ) ଓ ଅନ୍ୟାନ୍ୟ ମ୍ୟୁଚୁଆଲ ଫଣ୍ଡ ବିକ୍ରି ପାଇଁ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏହା ଦ୍ୱାରା ଗ୍ରାମୀଣ ବ୍ୟାଙ୍କର ବ୍ୟବସାୟ ନଷ୍ଟ ହେଉଛି । ଏସବିଆଇ ସର୍ବଦା ନିଜର ଲାଭ ପାଇଁ ଗ୍ରାମୀଣ ବ୍ୟାଙ୍କକୁ ବ୍ୟବହାର କରୁଛି । ହେଲେ ଗ୍ରାମୀଣ ବ୍ୟାଙ୍କ୍ କିମ୍ବା ତାହାର ଗ୍ରାହକମାନଙ୍କ ସୁୁବିଧା ପାଇଁ କିଛି କରୁନାହିଁ । ଏଭଳି ମନୋଭାବ ବିରୋଧରେ ଗ୍ରାମୀଣ ବ୍ୟାଙ୍କ ମିଳିତ କର୍ମଚାରୀ ସଂଘ ଦୀର୍ଘ ବର୍ଷ ହେଲା ସ୍ୱର ଉତୋଳନ କରିଆସୁଛନ୍ତି । ଏ ନେଇ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇ ଚିଠି ଲେଖାଯାଇଛି । ଗତ ନଭେମ୍ବର ୧୮ ତାରିଖରେ ପ୍ରତି ଗ୍ରାମୀଣ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟରେ ସମ୍ମୁଖରେ କର୍ମଚାରୀମାନେ ଧାରମା ଦେଇ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବାଧ୍ୟହୋଇ ଆଜି ଗ୍ରାମୀଣ ବ୍ୟାଙ୍କ କର୍ମଚାରୀମାନେ ଦେଶବ୍ୟାପୀ ଧର୍ମଘଟ କରିଛନ୍ତି । ଦାବି ପୂରଣ ନ ହେଲେ ଆଗକୁ ମଧ୍ୟ ମିଳିତ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସଂଘ ପକ୍ଷରୁ ୫ଟି ଦାବି ହୋଇଛି । ତାହା ହେଲା ମିତ୍ରା କମିଟି ହିସାବରେ କର୍ମଚାରୀ ନିଯୁକ୍ତି , ଏସବିଆଇ କର୍ମଚାରୀଙ୍କୁ ମିଳିଥିବା ସୁବିଧା ସୁଯୋଗ ପ୍ରଦାନ ସହ ଋଣ ପରିମାଣ ଓ ସୁଧହାର ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଦାନ, ଏସବିଆଇରୁ ଡେପୁଟେସନରେ ଥିବା ଅଫିସରଙ୍କୁ ଯଥାଶୀଘ୍ର ଫେରାଇ ନିଆଯିବା , ଏସବିଆଇର ବୀମା କିମ୍ବା ମ୍ୟୁଚୁଆଲ୍ ଫଣ୍ଡକୁ ଜବରଦସ୍ତ ଗ୍ରାମୀଣ ବ୍ୟାଙ୍କ୍ ଗ୍ରାହକକୁ ବିକ୍ରି ବନ୍ଦ, ଅସ୍ଥାୟୀ କର୍ମଚାରୀଙ୍କୁ ଗ୍ରୁପ୍ –ଡି ମାନ୍ୟତା ଦେଇ ଥଇଥାନ କରିବା । 

ଆଜିର ଧର୍ମଘଟରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ କର୍ମଚାରୀ ସଂଘର ବ୍ରହ୍ମପୁର ମଣ୍ଡଳ ସଂପାଦକ ହୃଷିକେଶ ପାତ୍ର, ସହ ସଂପାଦକ ବି. ରମେଶ ପାତ୍ର, କୋଷାଧ୍ୟକ୍ଷ ସାନୁଜିତ ମିଶ୍ର ଓ ବହୁସଂଖ୍ୟାରେ କର୍ମକର୍ତା ଯୋଗ ଦେଇଛନ୍ତି । ସମସ୍ତେ ବ୍ରହ୍ମପୁର ଆଂଚଳିକ ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ୬୮୦ ଟି ଜିଲ୍ଲାରେ ୪୩ଟି ଆରଆରବି ରହିଛି, ଯାହା କି ଗ୍ରାମୀଣ ବ୍ୟାଙ୍କ ନାମରେ ପରିଚିତ । ଏହି ବ୍ୟାଙ୍କରେ ଭାରତ ସରକାରଙ୍କ ୫୦ ପ୍ରତିଶତ, ରାଜ୍ୟ ସରକାରଙ୍କ ୧୫ ପ୍ରତିଶତ ଓ ପ୍ରାୟୋଜିତ ବ୍ୟାଙ୍କର ୩୫ ପ୍ରତିଶତ ଅଂଶଧନ ରହିଛି । ସରକାର୧୨ଟି ପ୍ରାୟୋଜିତ ବ୍ୟାଙ୍କକୁ ଗ୍ରାମୀଣ ବ୍ୟାଙ୍କର ପରିଚାଳନା ଦାୟିତ୍ୱ ଦେଇଛନ୍ତି ।

Comments are closed.