ଘରୋଇ ସହଭାଗିତାରେ ରାଉରକେଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବର୍ତ୍ତମାନ ସୁଦୃଢ: ଅସୀତ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ତଥା ଜାତୀୟ ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ ।

ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅସିତ୍ ତ୍ରିପାଠୀ କହିଥିଲେ ଯେ , ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି ଏବଂ ଏସବୁରେ ଅବିଜେନଯୁକ୍ତ ବେଡ୍ ଓ ଆଇସିୟୁ ବେଡ୍‌ର ବ୍ୟବସ୍ଥା ରହିଛି । ଖୁବଶୀଘ୍ର ୯୦ଟି ଆଇସିୟୁ ବେଡ୍ ଏବଂ ୧ ୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ । ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକିଜେନ ମହଜୁଦ ରହିଛି ।

ତ୍ରିପାଠୀ ଆହୁରି କହିଥିଲେ ଯେ , ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକିଜେନ୍ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଏହା ସୁନ୍ଦରଗଡ଼ ଜିଲ୍ଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ଼ ଚିକିତ୍ସା କ୍ଷେତ୍ରରେ ଅଧୁକ ସହାୟକ ହେବ ।

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ରାଉରକେଲା ମହାନଗର ନିଗମ ଦ୍ବାରା ପରିଚାଳିତ ୨୪ ଘଣ୍ଟିଆ କୋଭିଡ୍ ହେଲ୍ଡଲାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ହେଳ୍ପଲାଇନ୍ ମାଧ୍ୟମରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ କିପରି ବିଭିନ୍ନ ସୂଚନା ଓ ସହାୟତା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ । ଏହା ସହିତ ଟିମ୍ ହାଇଟେକ୍ କୋଭିତ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ପରେ ପରେ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା ।

ଏହି ଅବସରରେ ଅସିତ୍ ତ୍ରିପାଠୀ କହିଥିଲେ ଯେ , ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ଆଧୁନିକ ବ୍ୟବସ୍ଥାର ଭିତ୍ତିଭୂମି ସୃଷ୍ଟି କରିବାରେ ବିଭିନ୍ନ ଶିଳ୍ପ କାରଖାନା ଏବଂ ଘରୋଇ ଉଦ୍ୟୋଗ ସହାୟତାର ହାତ ବଢ଼ାଇଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଧିକ ଡାକ୍ତର ମିଳିପାରିଲେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ରାଉରକେଲା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ସହର । ତେଣୁ କୋଭିଡ୍ ମୁକାବିଲା ପାଇଁ ଏଠାରେ ସରକାର ଘରୋଇ ସହଭାଗିତାରେ ସ୍ବାସ୍ଥ୍ୟସେବା ଭିଭିଭୂମିକୁ ସୁଦୃଢ଼ କରିପାରିଛନ୍ତି । କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଲକଡାଉନ୍ ଏବଂ ସଟଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ମିଳିତ ଭାବରେ ଏହିସବୁ ନିୟମର କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲାରେ କୋଭିଡ୍ ଟେଷ୍ଟି ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ , ଆଗାମୀ ୧୦ ଦିନ ମଧ୍ୟରେ ଜିଲ୍ଲାକୁ ଆଉ ଗୋଟିଏ ଆରଟିପିସିଆର ମେସିନ ଯୋଗାଇ ଦିଆଯିବ । ଏହା ଦ୍ବାରା ଜିଲ୍ଲାରେ ଦୈନିକ କୋଭିଡ୍ ପରୀକ୍ଷା କ୍ଷମତା ଆହୁରି ୫୦୦ ବୃଦ୍ଧି ପାଇବ ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖୁଲ ପବନ କଲ୍ୟାଣ , ରାଉରକେଲା ଏସପି ମୁକେଶ କୁମାର ଭାମୋ , ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରଣେ , ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା , ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର , ରାଉରକେଲାରେ କୋଭିଡ୍ ଚିକିତ୍ସା ଦାୟିତ୍ବରେ ଥିବା ଏଏମ୍ଓ ଡାକ୍ତର ଶଶାଙ୍କ କବି ଶତପଥୀଙ୍କ ସହ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.