ପଶ୍ଚିମ ଓଡ଼ିଶାର ଜିଲ୍ଲାପାଳଙ୍କ ସହ ଅସୀତଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି: କୋଭିଡ୍ ମୁକାବିଲାରେ ସାମିଲ ହେଲା ଡବ୍ଲୁଓଡିସି

ସବୁ ଉପଖଣ୍ଡ ଓ ଡିଏଚ୍ଏରେ ଆଇସିୟୁ ଭେଣ୍ଟିଲେଟର ବ୍ୟବସ୍ଥା

ସମ୍ବଲପୁର : କରୋନା ମହାମାରୀର ଦ୍ବିତୀୟ ଲହରକୁ ବି ପ୍ରଥମ କରି ଜିତିବା । ଏଥିରେ ସମସ୍ତଙ୍କ ସହଯୋଗ ଲୋଡ଼ା । ତେବେ , ଏହି ମୁକାବିଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ବି ସାମିଲ ହେବ । ପରିଷଦ ଅଧୀନରେ ଥିବା ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଆଇସିୟୁ ସହିତ ଭେଣ୍ଟିଲେଟର୍ ବ୍ୟବସ୍ଥା ରହିବ । ଏହାଛଡା ଅତ୍ୟାବଶ୍ୟକ ଜରୁରୀ ଚିକିତ୍ସା ଉପକରଣ ଏବଂ ପରୀକ୍ଷା ବ୍ୟବସ୍ଥା ତୁରନ୍ତ କରାଯିବ । ଆଜି ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସୀତ ତ୍ରିପାଠୀ ପଶ୍ଚିମ ଓଡ଼ିଶାର ଜିଲ୍ଲାପାଳମାନଙ୍କ ସହ ଭର୍ଚୁଆଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି ।

ପଶ୍ଚିମ ଓଡିଶାରେ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ଵପୂର୍ଣ ଭୂମିକା ନେଇଥିବା ଡବ୍ଲ୍ୟୁଓଡିସି ବର୍ତ୍ତମାନ ଏହି କୋଭିଡ୍ ମୁକାବିଲାରେ ସରକାରଙ୍କ ସହ ତାଳ ମିଳାଇକୁ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକ ଭିତ୍ତଭୂମି ଯୋଗାଡ ପାଇଁ ଆଜି ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ବୈଠକ କରିଛନ୍ତି ।

ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମତଃ ପରିଷଦ ପାଣ୍ଠିରୁ ପଶ୍ଚିମ ଓଡିଶାର ସମସ୍ତ ବିଡ ଜିଲ୍ଲାକୁ ୩ କୋଟି ଏବଂ ଛୋଟ ଜିଲ୍ଲାକୁ ୧ କୋଟି ଲେଖାଏଁ ଟଙ୍କା କୋଭିଡ୍ ମୁକାବିଲା ପାଇଁ ଦିଆଯାଇଥିଲା । ଏବେ ଭିତ୍ତିଭୂମି ସଂକ୍ରାନ୍ତରେ ପରିଷଦ ଆହୁରି ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିଲା । ଏଥିରେ ଜିଲ୍ଲାପାଳମାନଙ୍କ ପରାମର୍ଶକ୍ରମେ ଏଣିକି ସବୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଭେଣ୍ଟିଲେଟରଯୁକ୍ତ ବେଡ୍ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି ।

ସେହିପରି ସିଆରସି ଭଳି କେତେକ ଜରୁରୀ ସାସ୍ଥ୍ୟ ପରୀକ୍ଷା ସକାଶେ ଭିତ୍ତିଭୂମି ପାଇଁ କିଛି ଜିଲ୍ଲାପାଳ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ତୁରନ୍ତ ପୂରଣ କରିବାକୁ ଚୂଡାନ୍ତ ହୋଇଛି । ଏହାଛଡା ଅଟୋ ଆନାଲାଇଜର୍ ପରି କିଛି ଅତ୍ୟାବଶ୍ୟକ ମେସିନ୍ ବ୍ୟବସ୍ଥା କରିବାକୁ ବି ନିଷ୍ପଭି ହୋଇଛି । ଏହାବାଦ୍ ଗତବର୍ଷ ସବୁ ପଞ୍ଚାୟତସ୍ତରରେ ଦିଆଯାଇଥିବା ଅକ୍ସିଜେନ୍ ପଲ୍ସ ମିଟର୍ ଖରାପ ହୋଇଯାଇଥିବାରୁ ପୁଣି ସବୁ ପଞ୍ଚାୟତକୁ ଏହା ଯୋଗାଣ କରିବାକୁ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଘୋଷଣା କରିଛନ୍ତି ।

ତେବେ , ଅନ୍ୟ ସମସ୍ତ ଭିତ୍ତିଭୂମି ସଂକ୍ରାନ୍ତୀୟ ପ୍ରସ୍ତାବ ୩ ଦିନ ମଧ୍ୟରେ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଯାଇଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

ପହେଲା ଲହର୍ ବାଗିର୍ ୨ ନମ୍ବର୍ ଲହର୍ ଭି ଜିତମା

ସବୁ ବାତ୍ୟା ବନ୍ୟା ବାଗିର୍ ପ୍ରାକୃତିକ୍ ବିପର୍ଯ୍ୟୟକେ ଥର ଥର୍ ଜିତିକରି ଉଡିଶା ସାରା ଦୁନିଆଁ ରେ ନାଁ କରିଛେ । ହେନତା ଗଲା ବଛର୍ କରୋନାର୍ ପହେଲା ଲହର୍ କେ ଭିଲ୍ ରାଏଜ୍ ସରକାର୍ ସଠିକ୍ ସମିଆଁ ଥିଁ ସଠିକ୍ ପଦକ୍ଷେପ୍ ନେଇକରି ଜିତିଥିଲେ । ସାରା ଦୁନିଆଁ ଓଡ଼ିଶାର ପ୍ରଶଂସା କରିଥିଲା । ଆର୍ ଇହାଦେ ଭିଲ୍ ସମକଁର୍ ସହଯୋଗ୍ ଥିଁ ଇ ଲହର୍ କେ ଭିଲ୍ ଆମେ ଜରୁର୍ ଜିତମା । ଇ ଲଢେଇ ଥିଁ ପଶ୍ଚିମ୍‌ ଓଡିଶା ବିକାଶ ପରିଷଦ୍ ପୁରା ଦମ୍ ଥିଁ ସରକାର୍ ଆର୍ ପଶ୍ଚିମ ଓଡିଶାର ୧୧ଟା ଜିଲ୍ଲାର ପ୍ରଶାସନ୍ ସାଂଗେଁ ମିଶିକରି କାମ୍ କରବାର୍ କେ ଯାଉଛେ

ଅସୀତ ତ୍ରିପାଠୀ , ଅଧ୍ୟକ୍ଷ ପଶ୍ଚିମ ଓଡିଶା ବିକାଶ ପରିଷଦ

Comments are closed.