ଲଣ୍ଡନ – କରୋନା ମୁକାବିଲା କ୍ଷେତ୍ରରେ ବ୍ରିଟେନ୍ ଐତିହାସିକ ପଦକ୍ଷେପ ନେଇଛି । ମଙ୍ଗଳବାର ଠାରୁ ବ୍ରିଟେନରେ ସାଧାରଣ ନାଗରିକଙ୍କ ଲାଗି କୋଭିଡ୍-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଦେଶର ୭୦ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ଫାଇଜର ଓ ବାୟୋଏନଟେକ୍ ଦ୍ୱାରା ବିକଶିତ ଟିକା ଦିଆଯାଉଛି । ୯୦ ବର୍ଷ ବୟସ୍କା ମହିଳା ମାର୍ଗାରେଟ୍ କିନାନଙ୍କୁ ଫାଇଜରର ପ୍ରଥମ ଡୋଜ୍ ଦିଆଯାଇଛି । ପ୍ରାୟ ଏକ ସପ୍ତାହ ତଳେ ଫାଇଜର-ବାୟୋଏନଟେକର ଟିକାର ଦେଶରେ ଜରୁରୀ ବ୍ୟବହାର ପାଇଁ ବ୍ରିଟେନ୍ ମଞ୍ଜୁରି ଦେଇଥିଲା । ବ୍ରିଟେନ ପ୍ରଥମ ଦେଶ ଭାବେ ଏହି ଟିକା ବ୍ୟବହାର କରିଛି । ଏହି ଟିକାକରଣ ଅଭିଯାନ ପ୍ରାୟ ଏକ ସପ୍ତାହ ଧରି ଚାଲିବ । ପ୍ରଥମ ପର୍ଯ୍ୟାୟରେ ୮୦ରୁ ଊର୍ଦ୍ଧ୍ୱ ବୟସ୍କ ତଥା ହାଇରିସ୍କ ବର୍ଗରେ ଆସୁଥିବା ଲୋକ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବ । ଇଂଲଣ୍ଡ ବ୍ୟତୀତ ୱେଲ୍ସ ଓ ସ୍କଟଲାଣ୍ଡରେ ମଧ୍ୟ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନର୍ଦର୍ଣ୍ଣ ଆୟର୍ଲାଣ୍ଡ ବି ନିଜ ନାଗରିକଙ୍କୁ ଫାଇଜର ଟିକା ଦେବ ବୋଲି ଘୋଷଣା କରିଛି ।
Comments are closed.