‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା କୋଭିଡ ପରିଚାଳନା

ଭୁବନେଶ୍ବର: କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ।

କୋଭିଡ୍ ରୋଗୀ ଏବଂ କୋଭିଡ୍ ଯୋଦ୍ଧା ମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ Feedback ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ Feedback ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରିରୋଗୀଙ୍କ ପରିବାରକୁ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କୋଭିଡ୍ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍ କେୟାର ହୋମ୍ର ତଦାରଖ ପାଇଁ Online Entry ର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏହା ସହିତ ବିଭିନ୍ନ କୋଭିଡ୍ ଡାକ୍ତରଖାନା ମଧ୍ୟରେ Ambulance ସେବାକୁ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

Comments are closed.