ସଶସ୍ତ୍ର ବାହିନୀରେ ବ୍ୟଭିଚାରକୁ ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ରର ପିଟିସନ

ନୂଆଦିଲ୍ଲୀ – ବ୍ୟଭିଚାର ଆଇନ ସହ ଜଡିତ ମାମଲା ପୁଣି ଥରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ବ୍ୟଭିଚାର ଆଇନ (ଆଇପିସିର ଧାରା ୪୯୭) ରଦ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ସଶସ୍ତ୍ର ବାହିନୀ ପାଇଁ ଲାଗୁ ନ କରିବାକୁ କେନ୍ଦ୍ର ସରକାର ଏକ ପିଟିସନ ଜରିଆରେ ନିବେଦନ କରିଛନ୍ତି । ଏବେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି।

ନୋଟିସ ଜାରି କରି ସୁପ୍ରିମକୋର୍ଟ ଏହି ମାମଲାକୁ ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନିକଟକୁ ପଠାଇଛନ୍ତି, ଯେଉଁଥିରେ ପାଞ୍ଚ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚରେ ଏହି ମାମଲାର ଶୁଣାଣି ପାଇଁ ଆବେଦନ କରାଯାଇଛି। କେନ୍ଦ୍ର ସରକାର ଯୁକ୍ତି କରିଛନ୍ତି ଯେ ଜଣେ ସହକର୍ମୀଙ୍କ ପତ୍ନୀଙ୍କ ସହ ବ୍ୟଭିଚାର ପାଇଁ ଅସହ୍ୟ ଆଚରଣ ଆଧାରରେ ସଶସ୍ତ୍ର ବାହିନୀର ଜଣେ କର୍ମଚାରୀଙ୍କୁ ସେବା ନିବୃତ କରାଯାଇ ପାରିବ। ଏଭଳି ପରିସ୍ଥିତିରେ ବ୍ୟଭିଚାର ଆଇନ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରଦାନ କରିଥିଲେ,‌ ତାହା ସେଠାରେ ଲାଗୁ କରାଯିବା ଉଚିତ ନୁହେଁ।

ବୁଧବାର ଶୁଣାଣି ବେଳେ ଜଷ୍ଟିସ ଆରଏଫ୍ ନରିମାନ, ଜଷ୍ଟିସ ନବୀନ ସିହ୍ନା ଏବଂ ଜଷ୍ଟିସ କେଏମ୍ ଯୋଶେଫଙ୍କ ଖଣ୍ଡପୀଠ କେନ୍ଦ୍ରର ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ବ୍ୟଭିଚାର ଆଇନକୁ ରଦ୍ଦ କରିବା ସହ ଏହା ଅପରାଧ ଶ୍ରେଣୀଭୁକ୍ତ ହେବ ନାହିଁ ବୋଲି ରାୟ ଶୁଣାଇଥିଲେ । କିନ୍ତୁ ବ୍ୟଭିଚାର ଛାଡପତ୍ରର ଆଧାର ହୋଇପାରିବ ବୋଲି କୋର୍ଟ କହିଥିଲେ ।

Comments are closed.