ଅକ୍ସିଜେନ ସଙ୍କଟ: କେନ୍ଦ୍ର ବିରୋଧରେ ଦିଲ୍ଲୀ ହାଇକୋର୍ଟର ଅଦାଲତ ଅବମାନନା ନୋଟିସ୍ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌ | News Room Odisha

ଅକ୍ସିଜେନ ସଙ୍କଟ: କେନ୍ଦ୍ର ବିରୋଧରେ ଦିଲ୍ଲୀ ହାଇକୋର୍ଟର ଅଦାଲତ ଅବମାନନା ନୋଟିସ୍ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌

ନୂଆଦିଲ୍ଳୀ: ଅକ୍ସିଜେନ ସଙ୍କଟ ନେଇ କେନ୍ଦ୍ର ବିରୋଧରେ ଦିଲ୍ଲୀ ହାଇକୋର୍ଟର ଅଦାଲତ ଅବମାନନା ନୋଟିସ୍ ଉପରେ ସୁପ୍ରିମକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ଦିଲ୍ଲୀକୁ ଆଜି ରାତି ସୁଦ୍ଧା ହେବାକୁ ଥିବା ଅକ୍ସିଜେନ ଯୋଗାଣ ସମ୍ପର୍କରେ କାଲି ସକାଳ ୧୦ଟା ୩୦ ମିନିଟରେ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ସିଜେନ ଯୋଗାଣ ନିଶ୍ଚିତ କରିବା ନେଇ ଯୋଜନା ଏବଂ ବ୍ୟବସ୍ଥା ଉପରେ ମଧ୍ୟ ତଥ୍ୟ ଦାଖଲ କରିବାକୁ କେନ୍ଦ୍ରକୁ କୋର୍ଟ କହିଛନ୍ତି ।

ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ନେଇ ସୁପ୍ରିମକୋର୍ଟରେ ଆଜି ମଧ୍ୟ ଶୁଣାଣି ହୋଇଥିଲା । ରାଜଧାନୀରେ କୋଭିଡ୍ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେଲାଣି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଗତ ତିନି ଦିନ ମଧ୍ୟରେ ଦିଲ୍ଲୀକୁ କେତେ ପରିମାଣର ଅକ୍ସିଜେନ ଯୋଗାଣ ହୋଇଛି ସେନେଇ କେନ୍ଦ୍ରକୁ ତଥ୍ୟ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀକୁ ଯେମିତି ହେଲେ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଯୋଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅକ୍ସିଜେନ ସଙ୍କଟ ନେଇ ଗତ କିଛି ଦିନ ଧରି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଚାଲିଥିଲା । ଅକ୍ସିଜେନ ଅଭାବ ପୂରଣ କରିବା ଦିଗରେ କେନ୍ଦ୍ରର ବିଫଳତାକୁ ହାଇକୋର୍ଟ ଭର୍ତ୍ସନା କରିଥିଲେ । ଏହି ପ୍ରସଙ୍ଗରେ ହାଇକୋର୍ଟ ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତକାଲି କେନ୍ଦ୍ରକୁ ନୋଟିସ୍ ପଠାଇଥିଲେ । ଏହା ବିରୋଧରେ କେନ୍ଦ୍ର ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ।