ଅମିତ ଶାହ କୁଚ୍‌ବିହାର ହିଂସାକାଣ୍ଡର ଷଡ଼ଯନ୍ତ୍ରକାରୀ: ମମତା | News Room Odisha

ଅମିତ ଶାହ କୁଚ୍‌ବିହାର ହିଂସାକାଣ୍ଡର ଷଡ଼ଯନ୍ତ୍ରକାରୀ: ମମତା

କୋଲକାତା – ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ କୁଚ୍‌ବିହାର ଜିଲ୍ଲାର ସିତାଲକୁଚି ନିର୍ବାଚନ ମଣ୍ଡଳୀରେ ଘଟିଥିବା ହିଂସା ପାଇଁ ମମତା ବାନାର୍ଜୀ କେନ୍ଦ୍ରକୁ ଦାୟୀ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୁଚ୍‌ବିହାର ହିଂସାର ଷଡଯନ୍ତ୍ରକାରୀ ବୋଲି ମମତା କହିଛନ୍ତି ।

ଶନିବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ କୁଚ୍‌ବିହାର ସିତାଲକୁଚି ନିର୍ବାଚନ ମଣ୍ଡଳୀର ଏକ ପୋଲିଂ ବୁଥ୍ ବାହାରେ କିଛି ଲୋକ ସୁରକ୍ଷା ବାହିନୀଙ୍କ ଉପରେ ଆକ୍ରମଣ କରିଥିଲେ । ଆତ୍ମରକ୍ଷା ପାଇଁ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ । ଏଥିରେ ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି ।
କୁଚ୍‌ବିହାର ହିଂସାକୁ ଏକ ‘ଗଣହତ୍ୟା’ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି ଓ ଶାହା ଅକ୍ଷମ । ସେମାନେ ବେଙ୍ଗଲ କବ୍‌ଜା କରିବା ଲକ୍ଷ୍ୟରେ ଏଠାକୁ ସବୁଦିନ ଆସୁଛନ୍ତି । ସେମାନଙ୍କୁ କେହି ଅଟକାଉ ନାହାନ୍ତି । ବେଙ୍ଗଲକୁ ଆପଣମାନଙ୍କୁ ସ୍ୱାଗତ । କିନ୍ତୁ ଲୋକଙ୍କୁ ଧମକାଇବା ପରିବର୍ତ୍ତେ ସେମାନଙ୍କୁ ଖୁସିରେ ରଖ । କେନ୍ଦ୍ରୀୟ ସୁରକ୍ଷାବଳ ଦ୍ୱାରା ଲୋକଙ୍କ ହତ୍ୟା କରି କେନ୍ଦ୍ର ସେମାନଙ୍କୁ କ୍ଲିନ୍ ଚିଟ୍ ଦେଉଛି ବୋଲି ମମତା ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ କୁଚ୍‌ବିହାର ଘଟଣା ପାଇଁ ମମତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଥିଲେ । ସେ ଏହି ଘଟଣାର ଷଡଯନ୍ତ୍ରକାରୀ ବୋଲି ମମତା କହିଥିଲେ ।