ଆଇପିଏଲ୍ ଉପରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଡେଲ୍ ଷ୍ଟେନ୍ | News Room Odisha

ଆଇପିଏଲ୍ ଉପରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଡେଲ୍ ଷ୍ଟେନ୍

‌ନୂଆଦିଲ୍ଲୀ – ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଆଇପିଏଲ୍‌କୁ ସମାଲୋଚନା କରିବାର ଦିନକ ପରେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଶ୍ୱର ସବୁଠୁ ବଡ଼ ଫ୍ରାଞ୍ଚାଇଜ୍ ଭିତ୍ତିକ ଟି୨୦ ଲିଗ୍‌କୁ ଅପମାନିତ କରିବାକୁ ତାଙ୍କର କେବେ ଉଦ୍ଦେଶ୍ୟ ନଥିଲା ବୋଲି ଷ୍ଟେନ୍ କହିଛନ୍ତି । ଷ୍ଟେନ୍ କହିଥିଲେ ଯେ, ଆଇପିଏଲ୍‌ରେ ଟଙ୍କା ଚର୍ଚ୍ଚା ଭିତରେ ବେଳେ ବେଳେ କ୍ରିକେଟ୍‌କୁ ପାଶୋରି ଦିଆଯାଏ । ତାଙ୍କର ଏହି ମନ୍ତବ୍ୟକୁ ସୋସିଆଲ ମିଡିଆରେ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି ବୋଲି ଷ୍ଟେନ୍ କହିଛନ୍ତି ।

ଷ୍ଟେନ୍ ଟ୍ୱିଟ୍ କରି କହିଛନ୍ତି, ଆଇପିଏଲ୍ ମୋର ଓ ଅନ୍ୟ ଖେଳାଳିଙ୍କ କ୍ୟାରିୟର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଟୁର୍ଣ୍ଣାମେଣ୍ଟ ନେଇ ମୋର ମନ୍ତବ୍ୟ କଦାପି ଅପାମନସୂଚକ, ଅସମ୍ମାନଜନକ ନଥିଲା କି ଅନ୍ୟ ଲିଗ୍ ସହ ଆଇପିଏଲର ତୁଳନା ମୁଁ କରିନାହିଁ । ମୋର ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । ଯଦି ମୋର ମନ୍ତବ୍ୟରେ କେହି ବ୍ୟଥିତ ହୋଇଛନ୍ତି, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ସମ୍ପ୍ରତି ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍‌)ରେ କ୍ୱେଟା ଗ୍ଲାଡିଏଟର୍ସ ତରଫରୁ ଖେଳୁଥିବା ଷ୍ଟେନ୍ ଗତକାଲି ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ ପୂର୍ବରୁ କହିଥିଲେ ଯେ, ଆଇପିଏଲ୍‌ରେ କ୍ରିକେଟ୍ ଅପେକ୍ଷା ଟଙ୍କାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଏହି କାରଣରୁ ସେ ଆଇପିଏଲ୍‌ରେ ନିୟମିତ ଖେଳିବାକୁ ଚାହୁଁ ନାହାନ୍ତି । ତାଙ୍କର ଏହି ମନ୍ତବ୍ୟ ନେଇ ପ୍ରଶଂସକ ଓ କିଛି କ୍ରିକେଟର ଷ୍ଟେନଙ୍କୁ କଡ଼ା ସମାଲୋଚନା କରିଥିଲେ ।

ଷ୍ଟେନ୍ ଗତ ଆଇପିଏଲ୍ ସିଜନରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିଲେ । ଆଇପିଏଲ୍‌-୨୦୨୧ରୁ ଓହରିବାକୁ ସେ ଜାନୁୟାରୀରେ ଘୋଷଣା କରିଥିଲେ । ତେବେ ଅନ୍ୟ ଟି୨୦ ଲିଗ୍‌ରେ ସେ ଖେଳିବେ ବୋଲି କହିଥିଲେ । ତାଙ୍କର ଏହି ଘୋଷଣା ପରେ ଫେବୃୟାରୀରେ ଅନୁଷ୍ଠିତ ଖେଳାଳି ନିଲାମ ପୂର୍ବରୁ ଆରସିବି ତାଙ୍କୁ ଦଳରୁ ରିଲିଜ୍ କରିଦେଇଥିଲା ।

ଷ୍ଟେନ୍ ଆଇପିଏଲ୍‌ରେ ୯୫ ମ୍ୟାଚ୍ ଖେଳିଥିବା ବେଳେ ୯୭ଟି ୱିକେଟ୍ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହେଉଛି ୮/୩ । ଆଘାତ ସମସ୍ୟା ଯୋଗୁଁ ଗତ ତିନି ସିଜନରେ କେବଳ ୧୨ଟି ମ୍ୟାଚ୍ ଖେଳିଥିଲେ ।