ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: କୋହଲି ପଞ୍ଚମ ସ୍ଥାନକୁ ଖସିଲେ | News Room Odisha

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: କୋହଲି ପଞ୍ଚମ ସ୍ଥାନକୁ ଖସିଲେ

ଦୁବାଇ – ଆଇସିସି ତରଫରୁ ଜାରି ଟେଷ୍ଟ ବ୍ୟାଟିଂ ତାଲିକାରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଗୋଟିଏ ସ୍ଥାନ କ୍ଷତି ହୋଇଛି । କୋହଲି ଚତୁର୍ଥରୁ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି । ଅନ୍ୟପକ୍ଷେ ଭାରତ ବିପକ୍ଷ ପ୍ରଥମ ତଥା ନିଜ ଶତକୀୟ ଟେଷ୍ଟରେ ଡବଲ୍ ସେଞ୍ଚୁରି ମାରି ଦଳକୁ ବିଜୟମଣ୍ଡିତ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ରୁଟ୍ ଦୁଇଟି ସ୍ଥାନ ଲମ୍ଫ ଦେଇ ତୃତୀୟକୁ ଉନ୍ନୀତ ହୋଇଛନ୍ତି ।

ଚେନ୍ନାଇ ଟେଷ୍ଟରେ କୋହଲି ଯଥାକ୍ରମେ ୧୧ ଓ ୭୨ ରନ୍ କରିଥିଲେ । କୋହଲି ୮୫୨ ରେଟିଂ ପଏଣ୍ଟ୍ ସହ ପଞ୍ଚମ ସ୍ଥାନକୁ ଖସିଛନ୍ତି । ରୁଟ୍ ସେହି ଟେଷ୍ଟରେ ୨୧୮ ଓ ୪୦ ରନ୍ କରିଥିଲେ । ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ନିଜ ୧୦୦ତମ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିଲେ । ରୁଟଙ୍କ ପାଖରେ ଏବେ ୮୮୩ ରେଟିଂ ପଏଣ୍ଟ୍ ଅଛି ଏବଂ ସେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୨୦୧୭ ପରେ ଏହା ହେଉଛି ରୁଟ୍‌ଙ୍କ ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ୍ । ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍ ବ୍ୟାଟିଂ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଅଷ୍ଟ୍ରେଲୀୟ ଷ୍ଟାର ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ଓ ତାଙ୍କ ସାଥୀ ଖେଳାଳି ମାର୍ନସ ଲାବୁସେନ୍ ଚତୁର୍ଥ ସ୍ଥାନରେ ଅଛନ୍ତି ।

ବୋଲିଂ ତାଲିକାରେ ଭାରତର ଦୁଇ ଷ୍ଟାର ବୋଲର ଆର.ଅଶ୍ୱିନ ଓ ଯଶପ୍ରୀତ ବୁମରା ଉପରକୁ ଉଠିଛନ୍ତି । ଅଶ୍ୱିନ ଓ ବୁମରା ଗୋଟିଏ ଲେଖାଏଁ ସ୍ଥାନ ଲମ୍ଫ ଦେଇ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି ।