ଆଜି ନିର୍ଣ୍ଣାୟକ ପଞ୍ଚମ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଭାରତ | News Room Odisha

ଆଜି ନିର୍ଣ୍ଣାୟକ ପଞ୍ଚମ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ – ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍ ଶନିବାର ଖେଳାଯିବ । ଚାପରେ ଥିବା ସତ୍ତ୍ୱେ ଜବରଦସ୍ତ ଅଲରାଉଣ୍ଡ ପ୍ରଦର୍ଶନ ସହ ଚତୁର୍ଥ ଟି୨୦ରେ ଇଂଲଣ୍ଡକୁ ହରାଇ ଭାରତ ସିରିଜକୁ ଉଜ୍ଜୀବିତ କରିଥିଲା । ସିରିଜ୍ ୨-୨ ସ୍ଥିତିରେ ରହିଥିବା ବେଳେ ବର୍ତ୍ତମାନ ବିଶ୍ୱର ଏହି ଦୁଇ ଶ୍ରେଷ୍ଠ ଦଳ ନିର୍ଣ୍ଣାୟକ ଲଢେଇ ପାଇଁ ଅଣ୍ଟା ଭିଡିଛନ୍ତି ।
ଘରୋଇ ମାଟିରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତ ନିର୍ଭୀକ ଆଭିମୁଖ୍ୟ ଆପଣାଇ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ପଞ୍ଚମ ମ୍ୟାଚରେ ଫଳାଫଳ ଯାହା ହେଉନା କାହିଁକି, ବିଶ୍ୱକପ ପାଇଁ ଭାରତ ଏକ ଦକ୍ଷ ରିଜର୍ଭ ଖେଳାଳିଙ୍କ ପୁଲ୍ ପ୍ରସ୍ତୁତ କରି ଭଲ ସ୍ଥିତିରେ ରହିଛି ।

ଇଶାନ କିଶାନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ନିର୍ଭୀକ ବ୍ୟାଟ୍ସମ୍ୟାନଙ୍କ ଆଗମନ ସହ ଭାରତୀୟ ଦଳର ବେଞ୍ଚ୍ ଷ୍ଟ୍ରେନ୍ଥ ପରିସର ବୃଦ୍ଧି ପାଇଛି । ଉଭୟ କିଶାନ ଓ ସୂର୍ଯ୍ୟକୁମାର ନିଜ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ଅର୍ଦ୍ଧଶତକ ସହ ଦକ୍ଷତାର ପ୍ରମାଣ ଦେଇଛନ୍ତି ।
ଗୁରୁବାର ‘କର ବା ମର’ ମ୍ୟାଚରେ ସୂର୍ଯ୍ୟକୁମାର ତୃତୀୟ ନମ୍ବରରେ କ୍ରିଜକୁ ଆସି ଇଂଲଣ୍ଡର ପେସ୍ ଆକ୍ରମଣକୁ ଯେଉଁଭଳି ପ୍ରତିହତ କରିଥିଲେ, ତାହା ଅଧିନାୟକ ବିରାଟ କୋହଲିଙ୍କ ସହ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ମ୍ୟାଚ୍ ପରେ କୋହଲି ଏହା ସ୍ୱୀକାର କରିଥିଲେ । ସୂର୍ଯ୍ୟକୁମାର ଓ କିଶାନଙ୍କ ଭଳି ପ୍ରତିଭାର ଆବିଷ୍କାର ପାଇଁ କୋହଲି ଆଇପିଏଲକୁ ଶ୍ରେୟ ଦେଇଥିଲେ । ଚତୁର୍ଥ ଟି୨୦ରେ ପ୍ରଭାବୀ ପ୍ରଦର୍ଶନର ପୁରସ୍କାର ସ୍ୱରୂପ ସୂର୍ଯ୍ୟକୁମାରଙ୍କୁ ଆଗାମୀ ଦିନିକିଆ ସିରିଜ ପାଇଁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ମିଳିଛି ।

ଚତୁର୍ଥ ଟି୨୦ରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନକୁ କୋହଲି ପ୍ରଶଂସା କରିଥିଲେ । ସେ କହିଥିଲେ, ତୃତୀୟ ନମ୍ବରରେ ଆସି ଏଭଳି ପ୍ରଦର୍ଶନ କରିବା ସହଜ ନୁହେଁ । କିନ୍ତୁ ସୂର୍ଯ୍ୟକୁମାର ପ୍ରତିପକ୍ଷ ବୋଲରଙ୍କ ଉପରେ ଆଧିପତ୍ୟ ଜାହିର କରି ଶ୍ରେୟାସ, ହାର୍ଦ୍ଦିକ ଏବଂ ପନ୍ତଙ୍କ କାମ ସହଜ କରିଦେଇଥିଲେ । ସୂର୍ଯ୍ୟକୁମାରଙ୍କ ଭଳି ଯୁବ ଖେଳାଳିଙ୍କ ସେ ପ୍ରଶଂସକ ପାଲଟି ଯାଇଛନ୍ତି ବୋଲି କୋହଲି କହିଥିଲେ ।

ନିଜ ଡେବ୍ୟୁ ସିରିଜରେ କିଶାନ ଓ ସୂର୍ଯ୍ୟକୁମାର ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ ଜଣେ ନବାଗତ ତଥା ହରିୟାଣା ଅଲରାଉଣ୍ଡର ରାହୁଲ ତେୱାତିଆ କିନ୍ତୁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଶନିବାର ତେୱାତିଆଙ୍କ ଅପେକ୍ଷାର ଅନ୍ତ ଘଟିପାରେ ।