ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ ଓ ଭୂମି ପୂଜନ | News Room Odisha

ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ ଓ ଭୂମି ପୂଜନ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ୮୦ ବର୍ଷ ପରେ ଦେଶରେ ଏକ ନୂତନ ସଂସଦ ଭବନ ନିର୍ମାଣ ହେବାକୁ ଯାଉଛି। କିନ୍ତୁ ଭୁମି ପୂଜନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ବି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇପାରେ । ଏହାର କାରଣ ହେଉଛି ସୁପ୍ରିମକୋର୍ଟଙ୍କ ନିଷେଧାଦେଶ। ନୂତନ ସଂସଦ ଭବନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଭବନକୁ ନେଇ ଗଠିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଏହି ଆବେଦନ ଉପରେ ନଭେମ୍ବର ୫ରେ ଶୁଣାଣି ହୋଇଥିଲା ଏବଂ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ସେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ପ୍ରକଳ୍ପ ପାଇଁ ସମସ୍ତ ଆଇନଗତ ଆବଶ୍ୟକତା ପାଳନ କରାଯାଇଛି କି ନାହିଁ।

ତେବେ ରାୟ ଶୁଣାଇବା ପୂର୍ବରୁ ନୂଆ ସଂସଦର ଶିଳାନ୍ୟାସ ଉପରେ କେନ୍ଦ୍ର ଠାରୁ ସ୍ପଷ୍ଟୀକରଣ ମାଗିଥିଲେ ସୁପ୍ରିମକୋର୍ଟ। ଏହାର ଉତ୍ତରରେ କେନ୍ଦ୍ର କହିଥିଲା ଯେ ରାୟ ନ ଆସିବା ପୂର୍ବରୁ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହେବ ନାହିଁ କିମ୍ବା କୌଣସିି ପୁରୁଣା କୋଠା ଭାଙ୍ଗାଯିବ ନାହିଁ। ଗଛ ଗୁଡ଼ିିିିକର ସ୍ଥାନାନ୍ତର କାର୍ଯ୍ୟ ମଧ୍ୟ ବନ୍ଦ ରଖାଯିବ। ଏଭଳିିିିି ସ୍ଥଳେ ଏହା ସ୍ପଷ୍ଟ ଯେ ନୂତନ ସଂସଦ ଏବଂ ଅନ୍ୟାନ୍ୟ କୋଠା ନିର୍ମାଣ କେବଳ କୋର୍ଟ ଅନୁମୋଦନ କରିବା ପରେ ଆରମ୍ଭ ହେବ।

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ଏକ ନୂତନ ସଂସଦ କମ୍ପ୍ଲେକ୍ସ ନିର୍ମାଣ ହେବ। ଏଥିରେ ୮୭୬ ସିଟ୍ ବିଶିଷ୍ଟ ଲୋକସଭା, ୪୦୦ ସିଟ୍ ବିଶିଷ୍ଟ ରାଜ୍ୟସଭା ଏବଂ ୧୨୨୪ ସିଟ୍ ବିଶିଷ୍ଟ କେନ୍ଦ୍ରୀୟ ହଲ୍ ରହିବ। ଏହା ସଂସଦର ମିଳିତ ବୈଠକରେ ସଦସ୍ୟମାନଙ୍କୁ ପୃଥକ ଭାବରେ ବସିବାର ଆବଶ୍ୟକତାକୁ ଦୂର କରିବ। ସେଣ୍ଟ୍ରାଲ ଭିସ୍ତାଠାରେ ୧୦ଟି ପରସ୍ପର ସହ ସଂଯୁକ୍ତ କୋଠାରେ ୫୧ଟି ମନ୍ତ୍ରଣାଳୟ ନିର୍ମାଣ କରାଯିବ | ବର୍ତ୍ତମାନ ଏହି ମନ୍ତ୍ରଣାଳୟଗୁଡ଼ିକ ପରସ୍ପରଠାରୁ ଦୂରରେ ୪୭ଟି ପୃଥକ୍ କୋଠାରେ ରହିଛି | ନିକଟସ୍ଥ ମେଟ୍ରୋ ଷ୍ଟେସନ ସହିତ ମନ୍ତ୍ରଣାଳୟକୁ ସଂଯୋଗ କରିବା ପାଇଁ ଏକ ଭୂତଳ ମାର୍ଗ ମଧ୍ୟ ନିର୍ମାଣ କରାଯିବ | ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ପାଇଁ ଏକ ନୂତନ ବାସଭବନ ମଧ୍ୟ ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ ହେବ। ଉଭୟ ଆବାସ ବର୍ତ୍ତମାନ ରାଷ୍ଟ୍ରପତି ଭବନଠାରୁ ଦୂରରେ ରହିଛି ।