ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଆହ୍ୱାନ କଲା ଗଣଶିକ୍ଷା ବିଭାଗ | News Room Odisha

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଆହ୍ୱାନ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର – ଓଡିଶା ଆଦର୍ଶ ବିଦ୍ୟାଳୟରୁ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଂଜିନିୟରିଂ ଓ ଅନ୍ୟାନ୍ୟ ବୃତିଗତ ଶିକ୍ଷା ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବା ପାଇଁ ଆଗ୍ରହୀ ସରକାରୀ ଅଧିକାରୀ, କର୍ମଚାରୀମାନଙ୍କଠାରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ଆବେଦନ ଆମନ୍ତ୍ରଣ କରିଛି । ଆଗ୍ରହୀ ପ୍ରଶିକ୍ଷକମାନେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଡେପୁଟେସନ ବା ଅତିରିକ୍ତ ଦାୟିତ୍ୱରେ ଆସି ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି ।

ଓଡିଶା ସରକାରଙ୍କ ଦ୍ୱାର ଗଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ରାଜ୍ୟର ପ୍ରତି ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟମାନେ ପରିଚାଳିତ ହେଉଛି । ଏଠାରେ ଛାତ୍ରଛାତ୍ରୀମାନେ ସିବିଏସଇ ପାଠ୍ୟକ୍ରମ ଢାଂଚାରେ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରିଥାନ୍ତି । ଚଳିତବର୍ଷ ଓ ଗତବର୍ଷ ଆଦର୍ଶ ବିଦ୍ୟାଳୟର ପ୍ରାୟ ୩୫୦ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି । ଭବିଷ୍ୟତରେ ସେମାନେ ମେଡିକାଲ, ଇଂଜିନିୟରିଂ ଓ ଅନ୍ୟାନ୍ୟ ବୃତିଗତ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ସେମାନଙ୍କୁ ପ୍ରବେଶିକା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଥିବା ଦୃଷ୍ଟିରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ କୋଚିଂ ସୁବିଧାର ଆବଶ୍ୟକତା ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି ଯେ, ଆଗ୍ରହୀ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଛାତ୍ରଛାତ୍ରୀଙ୍କୁ ଫିଜିକ୍ସ, କେମିଷ୍ଟ୍ରି, ଜୁଲୋଜି, ଗଣିତ, ଇଂରାଜୀ ଓ ସାମାଜିକ ବିଜ୍ଞାନରେ ଅନଲାଇନ୍ ବା ଅଫଲାଇନରେ ପ୍ରଶିକ୍ଷଣ ଦେବାକୁ ହେବ ।