ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଲେ ଅମିତ ଶାହା | News Room Odisha

ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଲେ ଅମିତ ଶାହା

ନୂଆଦିଲ୍ଲୀ – କୃଷି ଆଇନ୍ ନେଇ ଚାଷୀ ଓ ସରକାର ମଧ୍ୟର ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବେ । ବୁଧବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଏକ ଅନøପଚାରିକ ବୈଠକ ପାଇଁ ଚାଷୀମାନଙ୍କୁ ଶାହା ଆମନ୍ତ୍ରଣ କରିଛନ୍ତି । କୃଷି ଆଇନ୍ ବିରୋଧରେ ବିଭିନ୍ନ କୃଷକ ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେଇଥିଲେ । ଦେଶରେ ଏହାର ମିଶ୍ର ପ୍ରଭାବ ଦେଖିବାକୁ ମିଳିଥିଲା । ବିଶେଷକରି ଉତ୍ତର ଭାରତରେ ଏହି ବନ୍ଦ ଡାକରାର ଅଧିକ ପ୍ରଭାବ ରହିଥିଲା । ବିଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ଅବରୋଧ କରିବା ସହ ରେଳରୋକ କରିଥିଲେ । ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନରେ ଜରୁରୀ ସେବା ବ୍ୟାହତ ହୋଇଥିଲା । ଆନ୍ଧ ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗରେ ବି ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା । ଏହିସବୁ ରାଜ୍ୟରେ କୃଷକ ସଂଗଠନଙ୍କ ତରଫରୁ ରେଳରୋକ ସହ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଚାଷୀଙ୍କ ଏହି ବନ୍ଦ ଡାକରାକୁ ୨୪ ରାଜନୈତିକ ଦଳ ସମର୍ଥନ ଜଣାଇଥଲେ । ଚାଷୀ ଓ ସରକାରଙ୍କ ମଧ୍ୟରେ ପାଞ୍ଚ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାର ପାରିନାହିଁ । ଚାଷୀମାନେ ତିନୋଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଅଡ଼ି ବସିଛନ୍ତି । ସରକାର ଆଇନ ପ୍ରତ୍ୟାହାର କରିବା ପରିବର୍ତ୍ତେ ଆବଶ୍ୟକୀୟ ସଂଶୋଧନ କରିବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛନ୍ତି ।