ଏଲଏସିରେ ଚୀନ୍ ସେନାର ନୂଆ ଚାଲ୍‌, ଭାରତୀୟ ଯବାନଙ୍କ ଧ୍ୟାନ ହଟାଇବାକୁ ଲଗାଇଛି ଲାଉଡସ୍ପିକର୍‌, ବଜାଉଛି ପଂଜାବୀ ଗୀତ | News Room Odisha

ଏଲଏସିରେ ଚୀନ୍ ସେନାର ନୂଆ ଚାଲ୍‌, ଭାରତୀୟ ଯବାନଙ୍କ ଧ୍ୟାନ ହଟାଇବାକୁ ଲଗାଇଛି ଲାଉଡସ୍ପିକର୍‌, ବଜାଉଛି ପଂଜାବୀ ଗୀତ

ଲେହ- ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଜାରି ଉତେଜନା ମଧ୍ୟରେ ଚୀନର ପିଏଲଏ ଯବାନମାନେ ଆଉ ଏକ ଚାଲ୍ ଖେଳିବା ଆରମ୍ଭ କରିଛନ୍ତି । ସେମାନଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଥିବା ବେଳେ ଓ ପୂର୍ବ ଲଦାଖର ରଣନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭାରତୀୟସେନାର କବଜା ଚୀନକୁ ଚିନ୍ତିତ କରିଛି । ଏବେ ଚୀନ ସେନା ନୂଆ ଚାଲ୍ ଖେଳି ନିଜର ଫରୱାର୍ଡ ପୋଷ୍ଟରେ ଲାଉଡସ୍କିକର ଲଗାଇଛି । ପ୍ୟାଙ୍ଗୋଗ୍ ହ୍ରଦ ନିକଟସ୍ଥ ଫିଙ୍ଗର -୪ ରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ବଡ ବଡ ଲାଉଡସ୍ପିକର୍ ଲଗାଇ ପଂଜାବୀ ଗୀତ ବଜାଇବା ଆରମ୍ଭ କରିଛି ।

ଭାରତୀୟ ଯବାନଙ୍କ ଧ୍ୟାନ ହଟାଇବାକୁ ପିଏଲଏ ଯବାନଙ୍କ ଏହା ନୂଆ ଚାଲ୍ ବୋଲି କୁହାଯାଉଛି । ଫିଙ୍ଗର-୪ରେ ନିଜର ଯେଉଁ ସମ୍ମୁଖ ପୋଷ୍ଟରେ ପିଏଲଏ ଲାଉଡ ସ୍ପିକର ଲଗାଇଛି, ସେସବୁ ଉପରେ ଭାରତୀୟ ସେନାର କଡା ନଜର ରହିଛି । ଭାରତୀୟ ସେନାର ସତର୍କ ଦୃଷ୍ଟିରେ ପିଏଲଏ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ସେମାନେ ବଡ ବଡ ଲାଉଡ ସ୍ପିକର ଲଗାଇ ପଂଜାବୀ ଗୀତ ବଜାଉଛନ୍ତି । ଏଭଳି କରି ଭାରତୀୟ ଯବାନଙ୍କ ଧ୍ୟାନ ହଟାଇବାକୁ ପିଏଲଏ ଚେଷ୍ଟା କରୁଛି ବୋଲି କୁହାଯାଉଛି । ନ ହେଲେ ନିଜକୁ ଚାପମୁକ୍ତ କରିବାକୁ ସେମାନେ ଏପରି କରୁଥିବା ଅନୁମାନ କରାଯାଇଛି ।