ଓଟିଟି ପ୍ଲାଟ୍‌ଫର୍ମ ପାଇଁ କେନ୍ଦ୍ରର ନୂଆ ନିୟମ ପ୍ରଭାବହୀନ, କଣ୍ଟେଣ୍ଟ୍ ପାଇଁ କଡ଼ା ଆଇନ ଜରୁରି: ସୁପ୍ରିମକୋର୍ଟ | News Room Odisha

ଓଟିଟି ପ୍ଲାଟ୍‌ଫର୍ମ ପାଇଁ କେନ୍ଦ୍ରର ନୂଆ ନିୟମ ପ୍ରଭାବହୀନ, କଣ୍ଟେଣ୍ଟ୍ ପାଇଁ କଡ଼ା ଆଇନ ଜରୁରି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ନେଟଫ୍ଲିକ୍ସ, ଆମାଜାନ ପ୍ରାଇମ୍ ଭିଡିଓ, ହଟଷ୍ଟାର ଭଳି ଓଟିିଟି ପ୍ଲାଟ୍‌ଫର୍ମ ପାଇଁ କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ସେତେ ପ୍ରଭାବୀ ନୁହେଁ । ଓଟିଟି ପ୍ଲାଟଫର୍ମ ଗୁଡିକରେ ପ୍ରଦର୍ଶିତ କଣ୍ଟେଟ୍ ଉପରେ ନିୟନ୍ତ୍ରଣ ପାଇଁ କଡ଼ା ଆଇନ ଜରୁରୀ । ଯାହା ଫଳରେ ଆପତ୍ତିଜନକ କଣ୍ଟେଟ୍ ପ୍ରଦର୍ଶନ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

‘ତାଣ୍ଡବ’ ସିରିଜ୍ ପାଇଁ ଆମାଜନ ପ୍ରାଇମ ଭିଡିଓର ଇଣ୍ଡିଆ ହେଡ୍ ଅପର୍ଣ୍ଣା ପୁରୋହିତଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି । ତାଣ୍ଡବ ସିରିଜ୍ ନେଇ ଅପର୍ଣ୍ଣାଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର ନିକଟରେ ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଜାରି କରିଥିବା ଗାଇଡ୍ ଲାଇନରେ ଏଭଳି କୌଣସି ବ୍ୟବସ୍ଥା ନାହିଁ, ଯଦ୍ୱାରା କୌଣସି କଣ୍ଟେଣ୍ଟ୍‌କୁ ନେଇ ଡିଜିଟାଲ ପ୍ଲାଟଫର୍ମ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । କେନ୍ଦ୍ରର ନୂଆ ନିୟମ କେବଳ ଗାଇଡ୍ ଲାଇନ୍ । ଏହା ଆଇନ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

‘ତାଣ୍ଡବ’ ନେଇ ୟୁପି ପୋଲିସ୍ ଦ୍ୱାରା ରୁଜୁ ହୋଇଥିବା ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି ।

ଡିଜିଟାଲ ପ୍ଲାଟଫର୍ମ ପାଇଁ ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ କେନ୍ଦ୍ର ତରଫରୁ ପ୍ରତିନିଧିତ୍ୱ କରୁଥିବା ସଲିିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ, ଖୁବଶୀଘ୍ର ଏହି ପ୍ଲାଟ୍‌ଫର୍ମ ପାଇଁ ନୂଆ ଆଇନ ଅଣାଯିବ । ନୂଆ ଆଇନ ଲାଗୁ କରିବା ପୂର୍ବରୁ କୋର୍ଟରେ ତାହା ଉପସ୍ଥାପନ କରାଯିବ ବୋଲି ମେହେଟା କହିଛନ୍ତି ।