କରୋନାର ଉର୍ଦ୍ଧ୍ୱମୁହାଁ ଗତି ଜାରି; ଦିନକରେ ଆଉ ୪୩ ହଜାର ମାମଲା, ସକ୍ରିୟ ମାମଲା ୩ ଲକ୍ଷ ଟପିଲା | News Room Odisha

କରୋନାର ଉର୍ଦ୍ଧ୍ୱମୁହାଁ ଗତି ଜାରି; ଦିନକରେ ଆଉ ୪୩ ହଜାର ମାମଲା, ସକ୍ରିୟ ମାମଲା ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ଗ୍ରାଫ୍ ପୁଣିଥରେ ଉର୍ଦ୍ଧ୍ୱମୁହାଁ ହେବାରେ ଲାଗିଛି । ପ୍ରଦିଦିନ ସଂକ୍ରମଣ ରେକର୍ଡ ଭାଙ୍ଗୁଛି । ଗତ ୨୪ ଘଣ୍ଟାରେ ୪୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟିକାକରଣ ଚାଲିଥିବା ସତ୍ତ୍ୱେ ଦିନକରେ ୪୩,୮୪୬ ମାମଲା ସାମ୍ନାକୁ ଆସିଛି । ୧୧୪ ଦିନ ପରେ ଦୈନିକ ସଂକ୍ରମଣରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ଶେଷଥର ନଭେମ୍ବର୨୬, ୨୦୨୦ରେ ୪୩ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଥିଲା । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏହି ମହାମାରୀରେ ଭାରତରେ ଆଉ ୧୯୭ ଜଣଙ୍କ ଜୀବନ ନେଇଛି । ଆଉ ୨୨,୯୫୬ ଜଣ ଲୋକ ସୁସ୍ଥ ବି ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ସମୁଦାୟ ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିମଧ୍ୟରୁ ୧ ଲକ୍ଷ ୫୯ ହଜାର ୭୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୧ ଲକ୍ଷ ୩୦ ହଜାର ୨୮୮ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ମାମଲା ବଢ଼ିବା ସହ ସକ୍ରିୟ ମାମଲାରେ ବି ବୃଦ୍ଧି ଘଟିଛି । ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବେ ୩ ଲକ୍ଷ ଟପିଛି । ଦେଶରେ ଏବେ ୩ ଲକ୍ଷ ୯ହଜାର ସକ୍ରିୟ ରୋଗୀ ଅଛନ୍ତି ।

ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ ହୋଇଛି । ଏହି ରାଜ୍ୟରେ ଦୈନିକ ୨୫ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୭,୧୨୬ ମାମଲା ସାମ୍ନାକୁ ଆସିଛି । ସେହିପରି ପଞ୍ଜାବ, ଗୁଜରାଟ, ଦିଲ୍ଳୀ, ହରିୟାଣାରେ ବି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି ।

COVID-19