କୃଷି ଆଇନ ନେଇ ସରକାରଙ୍କ ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି: ପ୍ରଧାନମନ୍ତ୍ରୀ | News Room Odisha

କୃଷି ଆଇନ ନେଇ ସରକାରଙ୍କ ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କୃଷି ଆଇନ ନେଇ ଚାଷୀମାନଙ୍କୁ ଦିଆଯାଇଥିବା ସରକାରଙ୍କ ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି ବୋଲି ଆଜି ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷି ଆଇନ ନେଇ ଚାଷୀଙ୍କ ଆପତ୍ତି, ଅଭିଯୋଗର ସମାଧାନ ଆଲୋଚନା ଜରିଆରେ ହିଁ ବାହାର କରିବା ଉଚିତ । କିନ୍ତୁ ଦେଶର ସ୍ୱାର୍ଥ ବିଷୟରେ ବି ଆମକୁ ଚିନ୍ତା କରିବାକୁ ପଡିବ ବୋଲି ମୋଦି କହିଛନ୍ତି । ସର୍ବଦଳୀୟ ବୈଠକରେ ସରକାର ବଜେଟ ଅଧିବେଶନ ନେଇ ନିଜ ଏଜେଣ୍ଟା ରଖିଥିଲେ । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା । ଗୃହକାର୍ଯ୍ୟ ଯେଭଳି ସୁଗମ ହେବ ସେଥିପାଇଁ ସଂସଦର କୌଣସି ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକ ମାନଙ୍କୁ ଯାହା କହିଥିଲେ, ମୁଁ ତାହା ଦୋହରାଇବାକୁ ଚାହେଁ । ଉଭୟ ପକ୍ଷ କୌଣସି ସହମତିରେ ପହଞ୍ଚି ନାହାନ୍ତି । କିନ୍ତୁ କୃଷକଙ୍କୁ ଦିଆଯାଇଥିବା ପ୍ରସ୍ତାବ ଉପରେ ସେମାନେ ଆଲୋଚନା କରନ୍ତୁ । ମୁଁ କୃଷକ ମାନଙ୍କୁ କେବଳ ଗୋଟିଏ ଫୋନ୍ କଲ୍ ଦୂରରେ ରହିଛି । ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାବ ନବୀ ଆଜାଦ, ଟିଏମ୍‌ସିର ସୁଦୀପ ବନ୍ଦ୍ୟୋପାଧ୍ୟାୟ, ଶିବସେନା ସାଂସଦ ବିନାୟକ ରାଉତ ଓ ଶିରୋମଣି ଅକାଳି ଦଳର ବଲୱିନ୍ଦର ିଂ ଭୁନ୍ଦର କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ୨୨ରେ କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀମାନଙ୍କ ମଧ୍ୟରେ ଦ୍ୱାଦଶତମ ରାଉଣ୍ଡ ଆଲୋଚନା ହୋଇଥିଲା । ଏଥିରେ ସରକାର କୃଷି ଆଇନକୁ ଦେଢ଼ବର୍ଷ ସ୍ଥଗିତ ରଖିବାକୁ କୃଷକ ସଂଗଠନଙ୍କୁ ପ୍ରସ୍ତାବ ଦେଇଥିଲେ । ଏ ସମ୍ପର୍କରେ ବିଚାର କରିବାକୁ କୃଷକ ସଂଗଠନ ମାନଙ୍କୁ କହିଥିଲେ ସରକାର । ତେବେ ସରକାରଙ୍କ ଏହି ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଥିଲେ ।

Farmers' ProtestPM Narendra Modi